ଆସାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୭ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଆସାମ- ନାଗାଲାଣ୍ଡ ସୀମା ପଶ୍ଚିମ କାର୍ବି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ଦିମାସା ନ୍ୟାସନାଲ ଲିବରେସନ ଆର୍ମି (ଡିଏନଏଲଏ) ର ବୋଲି କୁହାଯାଇଛି । ଏହି ଆତଙ୍କବାଦୀ ସଂଗଠନ ଡିଏନଏଲଏ ଆସାମର ଦୀମା ହାସାଓ ଓ କର୍ବିି ଜିଲ୍ଲାରେ ସକ୍ରିୟ ଥିବା କଥା କୁହାଯାଇଛି ।

ପୁଲିସର ସୂଚନା ମୁତାବକ ସୁରକ୍ଷା ବଳ ଶୁକ୍ରବାର ରାତିରେ ଡିଏନଏଲଏ କ୍ୟାମ୍ପର ଠିକଣା ପାଇଥିଲେ । ଶନିବାର ରାତିରେ କର୍ବି ଓ ଲାଙ୍ଗଲଙ୍ଗ ଜିଲ୍ଲାରେ ଅପରେସନ ଆରମ୍ଭ କରିଥିଲେ । ଏହି ଅପରେସନ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟ ପକ୍ଷର ଗୁଳିବିନିମୟରେ ୭ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି।

୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଡିଏନଏଲଏ ସଂଗଠନକୁ ବଡ ଝଟକା ଲାଗିଛି । ଆସାମ ପୁଲିସର ସ୍ୱତନ୍ତ୍ର ଡିଜି ଜେ.ପି ସିଂ କହିଛନ୍ତି କି, ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି । ଏନେଇ ସେ ଏକ ଟ୍ୱିଟ କରି କହିଛନ୍ତି କି, ଆସାମ ପୁଲିସ ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ଡିଏନଏଲଏ ଆତଙ୍କବାଦୀ ସଂଗଠନର ୭ ଜଣ ପ୍ରାଣ ହରାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ମେ ୧୯ ତାରିଖ ଦିନ ଡିଏନଏଲଏ ଆତଙ୍କବାଦୀ ଆସାମ-ନାଗାଲାଣ୍ଡ ସୀମାରେ ଜଣେ ଯୁବକକୁ ହତ୍ୟା କରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ବଡ ଧରଣର ଅପରେସନ ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର