ନୂଆଦିଲ୍ଲୀ: ନିତି ଆୟୋଗ ପରିଚାଳନା ପରିଷଦର ସପ୍ତମ ବୈଠକ ଆଜି ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗଦେଇ କରୋନା ମହାମାରୀ ମୁକାବିଲାରେ ରାଜ୍ୟଗୁଡ଼ିକର ମିଳିତ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା ମନୋଭାବ ନେଇ ରାଜ୍ୟଗୁଡ଼ିକ ମହାମାରୀ ସମୟରେ କାର୍ଯ୍ୟ କରିଛନ୍ତି। ଏଥିଯୋଗୁ କରୋନା ମହାମାରୀ କବଳରୁ ଭାରତ ମୁକୁଳି ଆଗକୁ ବଢ଼ିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଭାରତର ସଂଘୀୟ ଢାଞ୍ଚା ବିଶ୍ବ ପାଇଁ ମଡେଲ ପାଲଟିଛି
ଯୋଗଦେଲେ ୨୩ ମୁଖ୍ୟମନ୍ତ୍ରୀ
ଜିଏସ୍ଟି କ୍ଷତିପୂରଣ, ଛୋଟ ସହରରେ ମନରେଗା ପାଇଁ ଦାବି
ବୈଠକରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ରାଜ୍ୟ ସେମାନଙ୍କ ସାମର୍ଥ୍ୟ ଅନୁସାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ କରୋନା ମହାମାରୀ ବିରୋଧୀ ଲଢ଼େଇରେ ଆବଶ୍ୟକ ଯୋଗଦାନ ରଖିଛନ୍ତି। ଫଳରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଇଁ ଭାରତ ବିଶ୍ବ ନେତା ଭାବେ ଉଭା ହେବାର ଉଦାହରଣ ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ଭାରତର ସଂଘୀୟ ଢାଞ୍ଚା ଓ ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା ସାରା ବିଶ୍ବ ପାଇଁ ମଡେଲ ପାଲଟିଛି। ବିଶ୍ବର ବିକାଶଶୀଳ ଦେଶଗୁଡ଼ିକ ପାଇଁ ଭାରତ ଏକ ଶକ୍ତିଶାଳୀ ବାର୍ତ୍ତା ମଧ୍ୟ ଦେଇଛି। ତାହା ହେଲା ସମ୍ବଳର ସ୍ବଳ୍ପତା ସତ୍ତ୍ବେ ଦୃଢ଼ତାର ସହିତ ସମସ୍ୟାର ସମାଧାନ ସମ୍ଭବ। ଏହାର ଶ୍ରେୟ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ଦେଇଛନ୍ତି। ନିତି ଆୟୋଗ ପରିଚାଳନା ପରିଷଦର ବୈଠକରେ ଏବର୍ଷ ୪ଟି ପ୍ରସଙ୍ଗ ଉପରେ ବିଶେଷ ଆଲୋଚନା ହୋଇଛି। ସେଗୁଡ଼ିକ ହେଲା ଫସଲର ବିବିଧୀକରଣ ଏବଂ ଡାଲି, ତୈଳବୀଜ ଓ ଅନ୍ୟ କୃଷି ସାମଗ୍ରୀରେ ଭାରତକୁ ଆତ୍ମନିର୍ଭର କରିବା, ବିଦ୍ୟାଳୟ ଶିକ୍ଷା ଓ ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା, ଏବଂ ସହରାଞ୍ଚଳର ଶାସନ ବ୍ୟବସ୍ଥାରେ ସୁଧାର ଆଣିବା। ପ୍ରଧାନମନ୍ତ୍ରୀ ଉପରୋକ୍ତ ୪ଟି ପ୍ରସଙ୍ଗର ଗୁରୁତ୍ବ ସଂପର୍କରେ ବୈଠକରେ ଆଲୋକପାତ କରିଛନ୍ତି।
ବୈଠକକୁ ଗଲେନି ନୀତୀଶ, କେସିଆର
ନୂଆଦିଲ୍ଲୀ: ନିତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଦେଶର ୨୩ ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ଯୋଗ ଦେଇଛନ୍ତି। କିନ୍ତୁ ଏଥିରେ ବିହାର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଯୋଗଦେଇ ନାହାନ୍ତି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍) ଉକ୍ତ ବୈଠକକୁ ଯିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ। କେନ୍ଦ୍ର ସରକାର ତେଲେଙ୍ଗାନା ପ୍ରତି ପାତରଅନ୍ତର କରୁଥିବା ଅଭିଯୋଗ ଆଣି ସେ ବୈଠକରେ ଯୋଗଦେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ନିତି ଆୟୋଗ କେସିଆରଙ୍କ ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମାସକ ମଧ୍ୟରେ ଦ୍ବିତୀୟ ଥର ପାଇଁ ମୋଦୀଙ୍କ ସହିତ ବୈଠକରେ ଯୋଗଦେବାକୁ ଏଡ଼ାଇ ଯାଇଛନ୍ତି।
ଏହା ସହିତ ‘୩ଟି’ ଉପରେ ରାଜ୍ୟଗୁଡ଼ିକ ଗୁରୁତ୍ବ ଦେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ସେଗୁଡ଼ିକ ହେଲା ଟ୍ରେଡ (ବାଣିଜ୍ୟ), ଟୁରିଜିମ (ପର୍ଯ୍ୟଟନ) ଏବଂ ଟେକ୍ନୋଲୋଜି (ପ୍ରଯୁକ୍ତି)। ଦେଶର ଆମଦାନି କମାଇବା ଏବଂ ରପ୍ତାନି ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଏଭଳି ଆହ୍ବାନ ଦେଇଛନ୍ତି। ଆଜିର ବୈଠକରେ ୨୩ ଜଣ ମୁଖ୍ୟମନ୍ତ୍ରୀ, ୩ ଜଣ ଉପରାଜ୍ୟପାଳ, ୨ ଜଣ ପ୍ରଶାସକଙ୍କ ସମେତ ଏକାଧିକ କେନ୍ଦ୍ରମନ୍ତ୍ରୀ ଯୋଗଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉକ୍ତ ବୈଠକର ସଂଯୋଜନା କରିଥିଲେ। ନିତି ଆୟୋଗ ବୈଠକରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଯୋଗଦେଇ ସହର ନିକଟରେ ଅବସ୍ଥିତ ଗ୍ରାମ ଏବଂ ୨୦ ହଜାରରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରରେ ମନରେଗା (ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଆଇନ) କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି। ଏଥିସହିତ ସେ ବୈଠକରେ ରାଜ୍ୟଗୁଡ଼ିକୁ ଜିଏସ୍ଟି କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ ମଧ୍ୟ ଉତ୍ଥାପନ କରିଛନ୍ତି।