ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ରମାନଙ୍କ ମଧ୍ୟରେ ସମନ୍ଵୟ ବୃଦ୍ଧି କରାଯାଉ: ଧର୍ମେନ୍ଦ୍ର ପ୍ରଧାନ

୭ମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମରେ କେନ୍ଦ୍ରମନ୍ତ୍ରୀ ସାମିଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍‌ସିଂ ମାଧ୍ୟମରେ ଚଳିତବର୍ଷ ମ୍ୟାଲେସିଆ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଥିବା ସପ୍ତମ ଆଇଇଏଫ-ଆଇଜିୟୁ ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମରେ ସାମିଲ ହୋଇ ପ୍ରାକୃତିକ ଗ୍ୟାସକୁ ପ୍ରୋତ୍ସାହନ ଦେବା ସହିତ ଉଭୟ ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ରମାନଙ୍କ ମଧ୍ୟରେ ଅଧିକ ସମନ୍ଵୟ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ କୋଭିଡ୍‌ ମହାମାରୀର ସଂକଟ ପରେ ଆସିଥିବା ସୁଯୋଗକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି। ଏହାକୁ ଆଧାର କରି ପ୍ରାକୃତିକ ଗ୍ୟାସ ଉତ୍ପାଦନକାରୀ ଏବଂ ଉପଭୋକ୍ତା ରାଷ୍ଟ୍ର ମାନଙ୍କ ମଧ୍ୟରେ ଅଧିକ ସମନ୍ଵୟ ବୃଦ୍ଧି କରିବା ଦରକାର। ଫଳରେ ସମଗ୍ର ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ତେଣୁ ଏକ ସୁସ୍ଥ ଓ ସ୍ଥାୟୀ ସମାଜ ଗଠନ ନିମନ୍ତେ ପ୍ରାକୃତିକ ଗ୍ୟାସର ଉତ୍ପାଦନ ଏବଂ ବ୍ୟବହାରକୁ ବୃଦ୍ଧି କରିବା ପାଇଁ ମିଳିତ ଭାବରେ ଆଗେଇ ଆସିବା ନେଇ ଶ୍ରୀ ପ୍ରଧାନ ଏହି ମନ୍ତ୍ରୀସ୍ତରୀୟ ଗ୍ୟାସ ଫୋରମରେ ଗୁରୁତ୍ୱାରୋପ କରିଥିଲେ ।

ସେହିପରି ଗୁଜୁରାଟ ମଡେଲକୁ କେସ୍‌ ଷ୍ଟଡି ଭାବରେ ବ୍ୟବହାର କରାଯିବା ଖୁସିର ବିଷୟ ଯ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଭାରତ ସରକାର ସାରା ଦେଶରେ ଗୁଜୁରାଟ ମଡେଲକୁ ଅନୁସରଣ କରୁଛନ୍ତି। ଜାତୀୟ ସ୍ତରରେ ପ୍ରାଥମିକ ଉର୍ଜା ମିଶ୍ରଣରେ ୬.୩ ପ୍ରତିଶତ ପ୍ରାକୃତିକ ଗ୍ୟାସର ୨୫ ପ୍ରତିଶତ ସେୟାର ସହିତ ଗୁଜୁରାଟ ଏକ ଉଦାହରଣ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଅବସରରେ ଶ୍ରୀ ପ୍ରଧାନ ତୈଳ ବଜାରରୁ ଏଲଏନଜି ବଜାରକୁ ପୃଥକ ରଖିବା, ବିଶ୍ୱ ଏଲଏନଜି ଚାହିଦାକୁ ଅଭିବୃଦ୍ଧି କରିବା ନିମନ୍ତେ ଥିବା ସମସ୍ୟାର ସମାଧାନ କରିବା ଉପରେ ନିଜର ମତ ରଖିଥିଲେ।

ସମ୍ବନ୍ଧିତ ଖବର