ଆଟଲାଣ୍ଟିକ୍ ମହାସାଗର ତଳେ ମିଳିଲା ୮.୫ କିମି ଦୀର୍ଘ ବିଶାଳ ଗର୍ତ୍ତର ସନ୍ଧାନ

୬୬ ନିୟୁତ ବର୍ଷ ପୂର୍ବେ ହୋଇଥିବା ଧୂମକେତୁ ମାଡ଼ର ପ୍ରଭାବରୁ ସୃଷ୍ଟି ହୋଇଥିବା ସମ୍ଭାବନା

ନୂଆଦିଲ୍ଲୀ : ସମୁଦ୍ର ବକ୍ଷରେ ରହିଥିବା ଅନେକ ରହସ୍ୟକୁ ଏବେ ମଧ୍ୟ ମଣିଷ ଭେଦ କରିପାରିନାହିଁ । ଅତୀତରେ ହୋଇଥିବା ଅନେକ ଘଟଣା ଲକ୍ଷ ଲକ୍ଷ ବର୍ଷ ଧରି ସମୁଦ୍ର ତଳେ ଲୁଚିରହିଛି । ନିକଟରେ ଏହିପରି ଏକ ରହସ୍ୟର ସନ୍ଧାନ ମିଳିଛି ଆଟଲାଣ୍ଟିକ୍ ମହାସାଗର ବକ୍ଷରେ । ପଶ୍ଚିମ ଆଫ୍ରିକାର ଗିନି ଉପକୂଳରୁ ପ୍ରାୟ ୪୦୦ କିଲୋମିଟର ଦୂର ଆଟଲାଣ୍ଟିକ ମହାସାଗର ବକ୍ଷରେ ପ୍ରାୟ ୪୦୦ ମିଟର ଗଭୀରତାରେ ୮.୫ କିଲୋମିଟର ଚଉଡ଼ା ଏକ ବିରାଟ ଗାତର ସନ୍ଧାନ ମିଳିଛି । ପ୍ରଥମ ଥର ପାଇଁ ଏପରି ଏକ ଗର୍ତ୍ତର ଆବିଷ୍କାର ହୋଇଛି । ପ୍ରାୟ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ମାଡ଼ ହୋଇଥିବା ଏକ ଧୂମକେତୁର ପ୍ରଭାବରୁ ଏହି ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ।

ତେବେ ଏହା ଏକ ପ୍ରାରମ୍ଭିକ ଆକଳନ ହୋଇଥିବାବେଳେ ସମୁଦ୍ର ଶଯ୍ୟାକୁ ଖୋଳି ନମୁନା ସଂଗ୍ରହ କରି ଆବଶ୍ୟକ ଗବେଷଣା ପରେ ଏ ସଂପର୍କରେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଉଛି । ଏହି ଗବେଷଣାରୁ ୬୬ ନିୟୁତ ବର୍ଷ ପୂର୍ବେ ପୃଥିବୀରେ ମାଡ଼ ହୋଇଥିବା ଧୂମକେତୁର ପ୍ରଭାବ ସଂପର୍କରେ ଜଣାପଡ଼ିବ । ସେହି ସମୟରେ ପୃଥିବୀ ପୃଷ୍ଠରେ ମାଡ଼ ହୋଇଥିବା ଏକ ଧୂମକେତୁ ଚିକଜୁଲୁବ୍ ପ୍ରଭାବରୁ ଡାଇନୋସର୍ସମାନେ ଲୋପ ପାଇଯାଇଥିଲେ ।

ଏହି ଗବେଷଣାରୁ ଆଉ ଏକ ତଥ୍ୟ ବି ଜଣାପଡ଼ିବ । ତାହା ହେଉଛି ପୃଥିବୀ ପୃଷ୍ଠରେ ଧୂମକେତୁ ମାଡ଼ ଯୋଗୁଁ ହେଉଥିବା ବିନାଶକାରୀ ପ୍ରଭାବ ସଂପର୍କରେ ଆକଳନ କରିହେବ ।

 

 

ସମ୍ବନ୍ଧିତ ଖବର