ସେପ୍ଟେମ୍ବର ଶେଷ ଆଡ଼କୁ ଖୋଲିବ ସମୁଦ୍ର ପତ୍ତନ ଠାରୁ ୩୦୦୦ ମିଟର ଉଚ୍ଚରେ ନିର୍ମିତ ୮.୮ କିଲୋମିଟର୍ ଦୀର୍ଘ ଅଟଳ ସୁଡ଼ଙ୍ଗ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମନାଲି ଏବଂ ଲଦାଖର ଲେହ ମଧ୍ୟରେ ସମୁଦ୍ର ପତ୍ତନ ଠାରୁ ୩୦୦୦ ମିଟର ଉଚ୍ଚରେ ନିର୍ମିତ ୮.୮ କିଲୋମିଟର ଦୀର୍ଘ ‘ରୋହତଙ୍ଗ୍ ସୁଡ଼ଙ୍ଗ’ (ଅଟଳ ସୁଡ଼ଙ୍ଗ) ସେପ୍ଟେମ୍ବର ଶେଷ ଆଡ଼କୁ ଖୋଲିବ ବୋଲି ଜଣାପଡ଼ିଛି। ୩୨୦୦୦ କୋଟି ଟଙ୍କା ବିନିମୟରେ ନିର୍ମିତ ଏହି ସୁଡ଼ଙ୍ଗ ଯୋଗୁଁ ମନାଲି ଓ ଲେହ ମଧ୍ୟରେ ଥିବା ୪୭୪ କିଲୋମିଟର ଦୂରତ୍ବ ୪୬ କିଲୋମିଟର ହ୍ରାସ ପାଇବ। ଅର୍ଥାତ୍ ଯାତ୍ରା ପାଇଁ ଆବଶ୍ୟକ ସମୁଦାୟ ୮ ଘଣ୍ଟା ସମୟରୁ ଅଢ଼େଇଘଣ୍ଟା କମିଯିବ।

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାମାନୁସାରେ ଏହାକୁ ‘ଅଟଳ ସୁଡ଼ଙ୍ଗ’ ମଧ୍ୟ କୁହାଯାଉଛି। ୨୦୦୦ ମସିହା ଜୁନ୍ ୩ ତାରିଖ ଦିନ ସେ ଏହି ସୁଡ଼ଙ୍ଗ ପ୍ରକଳ୍ପ ଘୋଷଣା କରିଥିଲେ। ‘ବର୍ଡର୍‌ ରୋଡ୍ସ୍‌ ଅର୍ଗାନାଇଜେସନ୍‌’କୁ ଏହାର ନିର୍ମାଣ ଦାୟିତ୍ବ ଦିଆଯାଇଥିଲା।

Image Courtesy of The Financial Express

୨୦୧୧ରେ ଏହି ସୁଡ଼ଙ୍ଗ ପାଇଁ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି, ବିଭିନ୍ନ ପ୍ରକାର ଭୂତାତ୍ତ୍ବିକ ଅସୁବିଧାର ଏଥିପାଇଁ ଅନ୍ତରାୟ ଓ ଆହ୍ବାନ ଭାବେ ଉପଗତ ହୋଇଥିଲା। ଫେବ୍ରୁଆରି ଏହି ପ୍ରକଳ୍ପ ୨୦୧୫ରେ ଶେଷ ହେବାକୁ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ସେରି ନାଳରୁ ଜଳ ପ୍ରବାହ, ପଥର ଖାଦନ ଉପରେ ନିଷେଧାଦେଶ, ପଥର ଖାଦାନ ନିମନ୍ତେ ଜମି ଆବଣ୍ଟନ ଏବଂ ସୁଡ଼ଙ୍ଗ ପଥରେ ଫସକା ହୋଇ ରହିଥିବା ଶିଳାସ୍ତର ଯୋଗୁଁ ସୁଡ଼ଙ୍ଗ ଖନନ କାର୍ଯ୍ୟ ମନ୍ଥର ହୋଇଯାଇଥିଲା।

ଏହି ସୁଡ଼ଙ୍ଗ ଖନନ ଲାଗି ୭୦୦ରୁ ଅଧିକ ଲୋକ ସିଫ୍‌ଟ୍‌ରେ କାମ କରୁଛନ୍ତି। ଗତ ମାସରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ମଧ୍ୟ ଏହି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ତଦାରଖ କରିବାକୁ ଯାଇଥାଆନ୍ତେ, କିନ୍ତୁ ଭାରତ ଚୀନ୍ ସେନା ସଂଘର୍ଷ ଯୋଗୁଁ ତାହା ସମ୍ଭବ ହେଲାନାହିଁ। ଏ ମାସ ଶେଷ ଆଡ଼କୁ ସେ ‘ଅଟଳ ସୁଡ଼ଙ୍ଗ’ ନିର୍ମାଣ ଦେଖି ଯିବାର କାର୍ଯ୍ୟକ୍ରମ ରହିଛି।

ଯେକୌଣସି ପାଗରେ ଏହି ସୁଡ଼ଙ୍ଗ ପଥରେ ୩୦୦୦ ଯାନବାହାନ ଚଳାଚଳ କରିପାରିବେ। ଆସନ୍ତା ମାସରେ ଏହି ସୁଡ଼ଙ୍ଗର ଉଦ୍ଘାଟନ ପରେ ହିମାଚଳ ପ୍ରଦେଶ ‘ଭିସ୍ତଡୋମ୍’ ବସ୍ ଚଳାଇବ।

 

 

ସମ୍ବନ୍ଧିତ ଖବର