ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଏକ ଅଘଟଣ ଘଟିଯାଇଛି। ଏକ ଅଭାବନୀୟ ଘଟଣାକ୍ରମରେ ଗତ ରବିବାର ଉତ୍ତରପ୍ରଦେଶର ଝାନ୍ସି କଲେଜ୍ରେ ଉତ୍ତରପ୍ରଦେଶ ପ୍ରଶାସନିକ ସେବା ପରୀକ୍ଷା ଚାଲିଥିବା ସମୟରେ କଲେଜ୍ ପରିସରରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢ଼ନ୍ତି। ସେ ତାଙ୍କ ଅଭିଯୋଗରେ ଏହା କହିଛନ୍ତି ଯେ, ତାଙ୍କୁ କିଛି ଛାତ୍ର ବଳପୂର୍ବକ କଲେଜ୍ ପରିସରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ଏବଂ ଏହାର ଏକ ଭିଡିଓ ପ୍ରସ୍ତୁତ କରିଥିଲେ। ସେମାନେ ତାଙ୍କଠାରୁ ୨ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ସମ୍ପୃକ୍ତ ନାବାଳିକା ଛାତ୍ରୀ ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିଲେ। ଅଭିଯୁକ୍ତମାନେ ତାଙ୍କ ବନ୍ଧୁଙ୍କୁ ମାରିବା ସହ ଏ ସମ୍ପର୍କରେ କାହାକୁ କିଛି କହିଲେ ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ପୀଡ଼ିତା ପରୀକ୍ଷା ହଲ୍କୁ ଆସିଲେ ତାହା ଯାଞ୍ଚ କରାଯାଉଛି।
ପୀଡ଼ିତା ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ କଲେଜ୍ର ଅନ୍ୟ ଏକ ଗେଟ୍ ପଟେ କିଛି ଯୁବକ ଉଠାଇ ନେଇଥିଲେ। ପରୀକ୍ଷା କେନ୍ଦ୍ରରେ କେବଳ ଜଣେ ସୁରକ୍ଷାକର୍ମୀ ଥିଲେ ଏବଂ ସେ ପରୀକ୍ଷା ପ୍ରକ୍ରିୟାରେ ସାମିଲ ଥିଲେ। ତେବେ ପୀଡ଼ିତାଙ୍କ କାନ୍ଦ ଶୁଣିବା ପରେ କିଛି ପୁଲିସ ତାଙ୍କୁ ସିପ୍ରି ବଜାର ଥାନାକୁ ନେଇଥିଲେ। ପୀଡ଼ିତା ସେଠାରେ ତାଙ୍କ ସହ କ’ଣ ଘଟିଥିଲା ସବୁ କହିଥିଲେ। ଝାନ୍ସି ଏସ୍ଏସ୍ପି ଦିନେଶ କୁମାର ପି କହିଛନ୍ତି ଉକ୍ତ ମାମଲାରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ରୋହିତ ସାଇନି ଏବଂ ଭରତ କୁଶୱାହାଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି। ପୁଲିସ ଉକ୍ତ ମାମଲାରେ ଏକ ଏଫ୍ଆଇଆର ରୁଜୁ କରିଛି। ଅନ୍ୟପକ୍ଷେ ଝାନ୍ସି ଜିଲ୍ଲାପାଳ ଉକ୍ତ ମାମଲାରେ ଖୁବ୍ ଶୀଘ୍ର ଚାର୍ଜସିଟ୍ ଦାଖଲ କରିବାପାଇଁ ସିପ୍ରି ବଜାର ପୁଲିସକୁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।