ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ‘ନୀତି ଆୟୋଗ ପରିଷଦ୍‌’ ବୈଠକରେ ୮ଜଣ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

Advertisment

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଉକ୍ତ ବୈଠକରେ ଯୋଗ ଦେବେ ନାହିଁ ବୋଲି କହିଥିବା ବେଳେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ ନିଜ ଅନୁପସ୍ଥିତି ସମ୍ପର୍କରେ କୌଣସି କାରଣ ଦର୍ଶାଇ ନାହାନ୍ତି।

publive-image Image Courtesy of Zee News

କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ବିରୋଧ କରି ଏହି ବୈଠକ ବର୍ଜନ କରିବେ ବୋଲି ଶୁକ୍ରବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କହିଥିଲେ। ସେହିପରି, ପଞ୍ଜାବ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେଉ ନ ଥିବା ଦର୍ଶାଇ ‘ନୀତି ଆୟୋଗ’ ବୈଠକରେ ଯୋଗ ଦେବେ ନାହିଁ ବୋଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଲେଖି ଜଣାଇଛନ୍ତି।

ସିଙ୍ଗାପୁର ଓ ଜାପାନ ଗସ୍ତରେ ଥିବାରୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ମଧ୍ୟ ଏହି ବୈଠକରେ ଯୋଗ ଦେଇ ପାରିବେ ନାହିଁ।

publive-image Image Courtesy of The New Indian Express

ଏହାଛଡ଼ା, ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ଲୋକସଭା ନିର୍ବାଚନ ନିମନ୍ତେ ‘ବିଜେପି’ ବିପକ୍ଷରେ ବିରୋଧୀ ଦଳମାନଙ୍କୁ ଏକତ୍ର କରିବାରେ ବ୍ୟସ୍ତ ଥିବାରୁ ଏହି ବୈଠକରେ ଯୋଗ ଦେଇ ପାରିବେ ନାହିଁ।

ସରକାରୀସୂତ୍ରରୁ ପ୍ରକାଶ, ‘ନୀତି ଆୟୋଗ ଗଭର୍ଣ୍ଣିଙ୍ଗ୍‌ କାଉନ୍‌ସିଲ୍‌ ମିଟିଙ୍ଗ୍‌’ ବର୍ଜନ କରିବା ରାଜ୍ୟର ବିକାଶକୁ ବର୍ଜନ କରିବା ସଙ୍ଗେ ସମାନ। ଏହି ବୈଠକରେ ଶତାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ।