କର୍ଣ୍ଣାଟକ ଆସ୍ଥା ଭୋଟ : ୧୨ ଅଣ-ବିଜେପି ବିଧାୟକଙ୍କ ସମର୍ଥନ ଅଛି ବୋଲି ବିଜେପିର ଦାବି !

ବାଙ୍ଗାଲୁରୁ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା କାଲି କର୍ଣ୍ଣାଟକ ବିଧାନସଭାରେ ୟେଦ୍ୟୁରପ୍ପା ସରକାରଙ୍କ ବିରୋଧରେ ଆସ୍ଥାଭୋଟ ହେବ । ବିଧାନସଭାରେ ବିଜେପିର ୧୦୪ ସଦସ୍ୟ ଥିବାବେଳେ ମ୍ୟାଜିକ ସଂଖ୍ୟା ହେଉଛି ୧୧୧ । କଂଗ୍ରେସର ୭୮ ଓ ଜେଡିଏସର ୩୮ ସଦସ୍ୟ ଅଛନ୍ତି । ଅର୍ଥାତ ଆସ୍ଥାଭୋଟ ଜିତିବା ପାଇଁ ବିଜେପିକୁ ଆଉ ୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ନିଜର ବିଧାୟକଙ୍କୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ସେମାନଙ୍କୁ ହାଇଦ୍ରାବାଦ ନେଇ ଯାଇଛି । କିନ୍ତୁ ସେପଟେ ବିଜେପି ମଧ୍ୟ ପ୍ରାୟ ୧୨ ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛି । କେତେକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ କଂଗ୍ରେସର ପ୍ରାୟ ୮ ଜଣ ବିଧାୟକ ବିଜେପିକୁ ସମର୍ଥନ କରିପାରନ୍ତି।

ସେହିପରି କେତେକ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିପାରନ୍ତି । ମିଳିଥିବା ସୂଚନା ମୁତାବକ କଂଗ୍ରେସର କେତେକ ବିଧାୟକଙ୍କ ପତ୍ତା ମିଳୁନାହିଁ । ବିଜୟନଗରରୁ କଂଗ୍ରେସ ବିଧାୟକ ଆନନ୍ଦ ସିଂ କହିଛନ୍ତି ଯେ ସେ ବିଧାୟକ ଭାବେ ଶପଥ ନେବା ପରେ କଂଗ୍ରେସରୁ ଇସ୍ତଫା ଦେବେ । କିନ୍ତୁ ସେ ବିଜେପିରେ ମିଶିବେ ନାହିଁ ।  କେବଳ ଆନନ୍ଦ ନୁହେଁ କଂଗ୍ରେସର ଆଉ ଦୁଇଜଣ ବିଧାୟକଙ୍କ ପତ୍ତା ମିଳୁନାହିଁ । ଏହି ଦୁଇ ବିଧାୟକ ହେଲେ ଗ୍ରାମୀଣ ବେଲାରୀର ବିଧାୟକ ନାଗେନ୍ଦ୍ର ଓ ଆଉ ଜଣେ ବିଧାୟକ ରାଜଶେଖର ପାଟିଲ । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ସେମାନେ ସ୍ୱାସ୍ଥ୍ୟଗତ କାରଣରୁ  ଅନୁପସ୍ଥିତ ଅଛନ୍ତି । କିନ୍ତୁ କେତେକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏହି ଦୁଇ ବିଧାୟକଙ୍କୁ ପତ୍ତା ମିଳୁନାହିଁ ।  ଆଉ କେତେକ ବିଧାୟକ ମଧ୍ୟ ବିଜେପି ସହ ଯୋଗାଯୋଗରେ ଅଛନ୍ତି ବୋଲି ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର