ମୁରାଦାବାଦ: ପିକ୍ଅପ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍। ଚାଲିଗଲା ୮ଜଣକ ଜୀବନ। ଉତ୍ତରପ୍ରଦେଶର ମୁରାଦାବାଦରେ ଘଟିଛି ଏଭଳି ହୃଦୟ ବିଦାରକ ସଡ଼କ ଦୁର୍ଘଟଣା। ମୁରାଦାବାଦରେ ଥିବା ଦଲପତପୁର-କାଶୀପୁର ରାଜପଥରେ ଏହି ଭୟାବହ ଦୁର୍ଘଟଣା ଘଟିଥିବା ବେଳେ ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇଥିବା କୁହାଯାଉଛି। ଦ୍ରୁତ ଗତିରେ ଯାଉଥିବା ଟ୍ରକଟି ଏକ ପିକଅପ୍ ଭ୍ୟାନକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।ଭଗତପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ଦଲପତପୁର ରାସ୍ତାରେ ଥିବା ଖଇରଖଟା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, ଗୋଟିଏ ପରିବାର ବିବାହରେ ଯୋଗ ଦେବା ପାଇଁ ପିକ୍ଅପ ଭ୍ୟାନ ଯୋଗେ ବିବାହ ମଣ୍ଡପକୁ ଯାଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍, ପିକ୍ଅପ ଭ୍ୟାନକୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଟ୍ରକର ବେଗ ଅଧିକ ଥିବାରୁ ଧକ୍କା ଦେଇ ଟ୍ରକଟି ଭ୍ୟାନ ଉପରକୁ ଓଲଟି ପଡ଼ିଥିଲା। ଘଟଣା ବିଷୟରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କଲା ବେଳକୁ ୮ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଟ୍ରକ୍ ତଳେ ଚାପି ହୋଇଯାଇଥିବାରୁ ଲୋକଙ୍କୁ ବାହାରକୁ ଆଣିବା ପାଇଁ ସମୟ ଲାଗିଥିଲା। ତେଣୁ ମୃତ୍ୟୁସଂଖ୍ୟା ଅଧିକ ବଢ଼ିଥିଲା ବୋଲି କହିଛି ପୁଲିସ। ତେବେ ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୧୫ଜଣ ଆହତଙ୍କ ମଧ୍ୟରେ ଉଭୟ ଗାଡ଼ିର ଯାତ୍ରୀ ରହିଥିବା କୁହାଯାଉଛି।