ପେଶୱାର୍‌: ଶନିବାର ଦିନ ପାକିସ୍ତାନ ଅଧିକୃତ କଶ୍ମୀର ଅନ୍ତର୍ଗତ ଗିଲ୍‌ଗିତ୍‌-ବାଲ୍‌ତିସ୍ତାନ ଅଞ୍ଚଳରେ ଆତଙ୍କବାଦୀମାନେ ଗୋଟାଏ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳି ଚଳାଇବାରୁ ଅନ୍ୟୂନ ୮ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଆଉ ୨୬ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

Advertisment

ବସ୍‌ଟି ଗିଲ୍‌ଗିତ୍‌ରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ବେଳେ ଚିଲାସ୍‌ଠାରେ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୬.୩୦ ବେଳେ ଆତଙ୍କବାଦୀମାନେ ନିର୍ବିଚାର ଭାବେ ଗୁଳି ଚଳାଇଥିଲେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଚିଲାସ୍‌ର ଡେପୁଟି କମିସନର୍‌ ଆରିଫ୍‌ ଅହମଦ୍‌ କହିଛନ୍ତି, ୮ଜଣ ମୃତ ବ୍ୟକ୍ତିଙ୍କ ମଧ୍ୟରୁ ଏଯାବତ୍‌ ୫ଜଣଙ୍କର ପରିଚୟ ମିଳିଛି। ଆହତ ହୋଇଥିବା ୨୬ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

8 Killed After Bus Carrying Tourists Falls Into Ravine In Gilgit-Baltistan

ଆତଙ୍କବାଦୀଙ୍କ ଗୁଳିଚୋଟରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୨ଜଣ ହେଉଛନ୍ତି ସେନା ଯବାନ। ୨ଜଣଙ୍କ ମଧ୍ୟରୁ ଜଣେ ‘ସ୍ପେସାଲ୍‌ ପ୍ରୋଟେକ୍ସନ୍‌ ୟୁନିଟ୍‌’ର ଯବାନ ବୋଲି ଡେପୁଟି କମିସନର୍‌ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ହେଉଛନ୍ତି କୋହିସ୍ତାନ, ପେଶୱାର୍‌, ଘିଜର୍‌, ଚିଲାସ୍‌, ରୌଣ୍ଡୁ, ସ୍କାର୍ଦୁ, ମାନସେହରା ଓ ସ୍ବାବି ଅଞ୍ଚଳର ଲୋକ। ବାକି ଜଣେ କି, ଦୁଇଜଣ ସିନ୍ଧ୍‌ ଅଞ୍ଚଳର।

ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇ ପାରେ।

ଏହି ଆକ୍ରମଣ ଘଟଣାର ତଦନ୍ତ ଆରମ୍ଭ କରାଯିବା ସହିତ ଆତଙ୍କବାଦୀମାନଙ୍କୁ ଧରିବା ଲାଗି ତଲାସ ଅଭିଯାନ ବି ଚାଲିଛି ବୋଲି ପୁଲିସ କହିଛି। ଏପର୍ଯ୍ୟନ୍ତ ଏହି ଆକ୍ରମଣ ଘଟଣା ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି।