ସିଦ୍ଧାର୍ଥ ନଗର: ଆଜି ଉତ୍ତର ପ୍ରଦେଶର ସିଦ୍ଧାର୍ଥ ନଗର ଦେଇ ପଡ଼ିଥିବା ନୌଗଡ଼-ବାଂସି ରାସ୍ତା ପାର୍ଶ୍ବରେ ରଖାଯାଇଥିବା ଗୋଟାଏ ଟ୍ରେଲର୍ ଟ୍ରକ୍ ସହିତ ଗୋଟାଏ ବୋଲେରୋ କାର୍ ଆସି ଧକ୍କା ଖାଇବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୩ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିବା ସହ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା କରାଇବା ଲାଗି ସରକାରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
/sambad/media/post_attachments/wp-content/uploads/2022/05/crash1-1.jpg)
ପ୍ରାପ୍ତ ସୂଚନା ଅନୁସାରେ, ବୋଲେରୋରେ ଥିବା ଯାତ୍ରୀମାନେ ମାହଲା ଗ୍ରାମରେ ଆୟୋଜିତ ବିବାହ ଅନୁଷ୍ଠାନରେ ଯୋଗ ଦେଇ ଫେରୁଥିଲେ। ବୋଲେରୋ ଚାଳକର ଆଖି ଲାଗି ଆସିବାରୁ ଗାଡ଼ିଟି ଟ୍ରେଲ୍ର ଟ୍ରକ୍ରେ ପିଟି ହୋଇଯାଇଥିଲା। ଧକ୍କା ଏଡ଼େ ଯୋର୍ରେ ହୋଇଥିଲା ଯେ, ବୋଲେରୋଟି ନଷ୍ଟ ହୋଇ ଭଙ୍ଗାରୁଜା ଲହୌ ଆବର୍ଜନା ପାଲଟି ଯାଇଥିଲା। ଉକ୍ତ ବୋଲେରୋ କାର୍ରେ ସମୁଦାୟ ୧୧ଜଣ ଯାତ୍ରୀ ଥିଲେ।
ଜୋଗିଆ କୋତ୍ୱାଲ୍ ଅଞ୍ଚଳରେ ହୋଇଥିବା ଉକ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ଅଧିବାସୀମାନେ ଦୁର୍ଘଟଣା ସଂକ୍ରାନ୍ତରେ ପୁଲିସକୁ ସୂଚନା ଦେବା ସହିତ ଉଦ୍ଧାର ଅଭିଯାନରେ ସହାୟତା କରିଥିଲେ।
ଆହତମାନଙ୍କୁ ଗୋରଖପୁର ଜିଲ୍ଲା ଡାକ୍ତରଖାନାକୁ ରେଫର୍ କରାଯାଇଥିବା ବେଳେ ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି।