ବେଙ୍ଗାଲୁର: କର୍ଣ୍ଣାଟକରେ ୨ ଜଣ କଲେଜ ଛାତ୍ରଛାତ୍ରୀ ଚୁମ୍ବନ ଦେଉଥିବାର ବେଳର ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓଟି ଭାଇରାଲ୍ ହେବା ପରେ ମେଙ୍ଗାଲୁରର ୮ ଜଣ ଛାତ୍ରଙ୍କ ପାଇଁ ସମସ୍ୟା ବଢ଼ିଛି। ଏହି ଘଟଣାରେ ସେଣ୍ଟ୍ ଆଲିସିୟସ୍ କଲେଜ୍ର ୮ ଜଣ ଛାତ୍ରଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ କୋର୍ଟକୁ ପଠାଯିବା ପୂର୍ବରୁ ହେପାଜତରେ ନିଆଯାଇଛି।
ଭିଡିଓଟି ୬ ମାସ ତଳର। ମାତ୍ର ନିକଟ ଅତୀତରେ ଏହା ସାମାଜିକ ଗଣମାଧ୍ୟମରେ ଅପ୍ଲୋଡ୍ ହେବା ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଭିଡିଓଟିରେ ଦୃଶ୍ୟମାନ ହୋଇଥିବା ଯୁବତୀ ଜଣକ ପୁଲିସ୍ ନିକଟରେ ଆସି ଏକ ଯୌନ ନିର୍ଯାତନା ମାମଲା ରୁଜୁ କରିବା ପରେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ଯୁକକମାନଙ୍କୁ ଅଟକ ରଖିଛି।
ଭିଡିଓରେ ୨ ଜଣ ଝିଅ ଦେଖା ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୋଗ କରିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ଯେ ଭିଡିଓଟି ମେଙ୍ଗାଲୁରର ଲାଇଟ୍ ହାଉସ୍ ହିଲ୍ ରୋଡ୍ରେ ସୁଟ୍ କରାଯାଇଛି।
ପୀଡ଼ିତା ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଆପାର୍ଟମେଣ୍ଟ୍ରେ ରହୁଥିବା ଯୁବକମାନଙ୍କୁ ସେ ଜାଣନ୍ତି। ଏପରିକି ସେମାନଙ୍କ ମଧ୍ୟରୁ ଜଣଙ୍କ ସହ ତାଙ୍କର ଶାରୀରିକ ସଂପର୍କ ଥିଲା। ଅନ୍ୟ ଜଣେ ଯୁବକ ତାଙ୍କର ଭିଡିଓ ସୁଟ୍ କରିଥିଲେ ଓ ଏବେ ସେହି ଭିଡିଓକୁ ନେଇ ତାଙ୍କୁ ବ୍ଲାକ୍ମେଲ୍ କରାଯାଉଛି। ତେବେ ସେମାନଙ୍କ ମଧ୍ୟରୁ ଜଣେ ୧୭ ବର୍ଷୀୟ ନାବାଳକ ତାଙ୍କ ଭିଡିଓକୁ ସୋସିଆଲ୍ ମିଡିଆରେ ଅପ୍ଲୋଡ କରିଛି ବୋଲି ସେ ଅଭିଯୋଗ ଆଣି କହିଛନ୍ତି।