ପାଣାଜୀ: ଗୋଆ କଂଗ୍ରେସ ପାଇଁ ପୁଣି ବଢ଼ିଲା ଅଡୁଆ। ଦଳର ୮ ଜଣ ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ହେଉଛି। ଗୋଆର ୮ ଜଣ ବିଧାୟକ ବାଚସ୍ପତିଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଏହା ଏକ ନୂଆ ଚର୍ଚ୍ଚା ଆରମ୍ଭ କରିଛି।
ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍ ତନାବଡ଼େ ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି କହିଛନ୍ତି। ବିଧାୟକମାନଙ୍କର ବିଜେପିରେ ମିଶିବା ନେଇ ଏପର୍ଯ୍ୟନ୍ତ କୌଣସି ସୂତ୍ରରୁ ସ୍ପଷ୍ଟ ସୂଚନା ନମିଳିଥିଲେ ବି ଅଧିବେଶନ ନଥାଇ ମଧ୍ୟ ବିଧାୟକମାନଙ୍କର ଅଚାନକ ବାଚସ୍ପତିଙ୍କୁ ଭେଟିବା ଏକ ଅସ୍ବାଭାବିକ କଥା ନିଶ୍ଚୟ ବୋଲ ଚର୍ଚ୍ଚା ହେଉଛି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨ ମାସ ପୂର୍ବରୁ ଏକ ରିପୋର୍ଟ ହସ୍ତଗତ ହୋଇଥିଲା ଯେ କଂଗ୍ରେସର ୨ ଶୀର୍ଷ ନେତା ଦିବମ୍ବର କାମାତ ଓ ମାଇକେଲ୍ ଲୋବଙ୍କ ସମେତ ସମୁଦାୟ ୬ ଜଣ ବିଧାୟକ ବିଜେପିରେ ମିଶିବେ। ତା’ପରେ କଂଗ୍ରେସ ଦଳର ଏହି ଦୁଇ ଶୀର୍ଷ ନେତା କାମାତ ଓ ଲୋବଙ୍କୁ ଦଳ ବିରୋଧୀ ଆଇନ୍ ଅନୁଯାୟୀ ଅଯୋଗ୍ୟ ଘୋଷିତ କରିବାକୁ ବାଚସ୍ପତିଙ୍କୁ କହିଥିଲା।
ସେହି ସମୟରେ ଅନ୍ୟ କୌଣସି ବିଧାୟକ ବିଜେପିରେ ମିଶିବା ନେଇ ସୂଚନା ମିଳିନଥିଲେ ବି କଂଗ୍ରେସର ଏକ ପ୍ରମୁଖ ବୈଠକରେ କାମାତ ଓ ଲୋବଙ୍କ ସମେତ କେଦାର ନାୟକ ଓ ଲୋବଙ୍କ ପତ୍ନୀ ଦଲିଲା ଲୋବ ଅନୁପସ୍ଥିତ ରହିଥିଲେ। କଂଗ୍ରେସ ବିରୋଧୀ ଦଳର ନେତା ଭାବେ ସେ ସମୟରେ ମାଇକେଲ୍ ଲୋବଙ୍କୁ ଦଳରୁ ବହିଷ୍କାର କରିଥିଲା।