ପାଟନା: ବିହାରର ବୈଶାଳି ଜିଲ୍ଲା ଦେଶାରୀ ଥାନା ଅନ୍ତର୍ଗତ ମେହନର ଗ୍ରାମ ରାସ୍ତା କଡରେ ରବିବାର ରାତି ପ୍ରାୟ ୯ଟାରେ ପୂଜା ଚାଲିଥିବାବେଳେ ଏ ଟ୍ରକ ମାଡିଯାଇଛି। ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ବେଳେ ଅନେକ ଆହତ ହୋଇଥିବା ଏକ ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛି।
ପୁଲିସର କହିବାନୁଯାୟୀ ମେହନର – ହାଜିପୁର ମୁଖ୍ୟ ରାସ୍ତାରେ ଭୁୟାଁ ବାବାଙ୍କୁ ପ୍ରାର୍ଥନା କରିବା ପାଇଁ ଏକ ଗଛ ମୂଳେ ନବତନ ପୂଜା ଚାଲିଥିଲା। ଏହି ପୂଜାରେ ବହୁ ଲୋକ ରୁଣ୍ଢ ହୋଇଥିଲେ। ଉକ୍ତ ରାସ୍ତାରେ ଦ୍ରୁତ ଗତିରେ ଏକ ଟ୍ରକ ସେମାନଙ୍କ ଉପରେ ମାଡି ଯାଇ ଗଛକୁ ଧକ୍କା ଦେଇ ସେଠାରେ ଓଲଟି ପଡ଼ିଥିଲା। ବୈଶାଳୀ ଏସପି ମନିଶ କୁମାର କହିଛନ୍ତି ଯେ, ପ୍ରାୟ ୧୫ଜଣ ଲୋକ ଉପରୋକ୍ତ ପୂଜା ପାଇଁ ଏକ ପିପଲ ଗଛ ମୂଳେ ରୁଣ୍ଢ ହୋଇଥିଲେ।
ପୂଜା ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ପୁଲିସ ସେଠାରେ ପହଞ୍ଚି ମୃତ ଓ ଗୁରୁତରମାନଙ୍କୁ ଉଦ୍ଧାର କରିଛି। ଗୁରୁତରମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଛି। ଉକ୍ତ ଟ୍ରକକୁ ଜବତ କରାଯାଇଥିବାବେଳେ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉକ୍ତ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଓ ଗୁରୁତରମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଟୁଇଟ ଯୋଗେ ଘୋଷଣା କରିବା ସହ ସେମାନେ ଯେଭଳି ଶୀଘ୍ର ସୁସ୍ଥ ହେବେ ସେହି କାମନା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉକ୍ତ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେମାନେ କିପରି ସୁସ୍ଥ ହେବେ ସେହି କାମନା କରିଛନ୍ତି।