ପ୍ରତିମାସରେ ରଦ୍ଦ ହେଉଛି ୮ ଲକ୍ଷ ଅନଲାଇନ ଟ୍ରେନ ଟିକଟ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ ଯାତାୟାତ କରିବା ପାଇଁ ଟ୍ରେନ ଉପରେ ନିର୍ଭର କରିଥାନ୍ତି | କିନ୍ତୁ ଲୋକଙ୍କ ତୁଳନାରେ ଟ୍ରେନ ସଂଖ୍ୟା କମ ରହିଛି ଯେଉଁଥିପାଇଁ ପ୍ରତିମାସ ୮ ଲକ୍ଷ ଅନଲାଇନ ଟିକଟ ବାତିଲ କରିବାକୁ ପଡୁଛି ବୋଲି ଏକ ରିପୋର୍ଟରେ କୁହାଯାଇଛି | ମିଳିଥିବା ସୂଚନା ମୁତାବକ ଚଳିତ ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ପାଖାପାଖି ୬୫ ଲକ୍ଷ ୬୯ ହଜାର ଟିକଟ ସ୍ୱୟଂକ୍ରିୟ ରଦ୍ଦ ହୋଇଯାଇଥିବା ଜଣାପଡିଛି | ଅର୍ଥାତ ମାସକୁ ପାଖାପାଖି ୮ ଲକ୍ଷ ଟିକଟ କନଫର୍ମ ନ ହେବା କାରଣରୁ ରଦ୍ଦ ହୋଇଯାଇଛି | ସୂଚନା ଅଧିକାର ଆଇନ ଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ଏପ୍ରିଲ ୨୦୧୯ରୁ ନଭେମ୍ବର ୨୦୧୯ ମଧ୍ୟରେ ଭାରତୀୟ ରେଳର ସହାୟକ କମ୍ପାନୀ ଆଇଆରସିଟିସି(ଇଣ୍ଡିଆନ ରେଲୱେ କ୍ୟାଟେରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ)ର ଅନଲାଇନ ବୁକ କରାଯାଇଥିବା ୬୫ ଲକ୍ଷ ୬୮ ହଜାର ୮୫୨ ଟିକଟ ରଦ୍ଦ କରାଯାଇଛି |

Photo Courtesy of India. com

ଆଇଆରସିଟିସି ୱେବସାଇଟ ଟିକଟ କନଫର୍ମ ନହେଲେ ସ୍ୱୟଂକ୍ରିୟ ପ୍ରକ୍ରିୟାରେ ଟିକଟକୁ ରଦ୍ଦ କରିଦେଇଥାଏ | ଅର୍ଥାତ ଟ୍ରେନ ଛାଡିବାର କିଛି ସମୟ ପୂର୍ବରୁ ଯେଉଁ ଅନଲାଇନ ଟିକଟ ସବୁ କନଫର୍ମ ହୋଇପାରିନଥାଏ ସେ ସବୁ ରଦ୍ଦ ହୋଇଯାଇଥାଏ | ଆଇଆଇରସିଟିସି ପକ୍ଷରୁ କୁହାଯାଇଛି ଯେ ଯେଉଁ ଟିକଟ ସବୁ ରଦ୍ଦ ହୋଇଯାଇଥାଏ ସେହି ଟିକଟ ପାଇଁ ନିଆଯାଇଥିବା ଅର୍ଥ ରାଶିରୁ ରେଳ ବିଭାଗ ରଦ୍ଦ ବାବଦ ଅର୍ଥ କାଟି ଦେଇ ବଳକା ଅର୍ଥ ଆଇଆରସିଟିସିକୁ ଦେଇଦେଇଥାଏ |

ଏହା ପରେ ଆଇଆରସିଟିସି ଏହି ଅର୍ଥକୁ ଟିକଟ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ପଠାଇଦେଇଥାଏ | ଲୋକଙ୍କ ଚାହିଦା ତୁଳନାରେ ଟ୍ରେନ କମ କଥାକୁ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ସ୍ୱୀକାର କରିଥିଲେ | ଜାନୁୟାରୀ ୧୨ ତାରଖରେ ଇନ୍ଦୋରରେ ରେଳ ମନ୍ତ୍ରୀ କହିଥିଲେ ଯେ କିଛି ଟ୍ରେନରେ ଟିକଟ ଚାହିଦା ୧୫୦ ପ୍ରତିଶତରୁ ଅଧିକ ରହିଛି | ବ୍ୟସ୍ତ ମାର୍ଗ ମାନଙ୍କରେ ଯାତ୍ରୀଙ୍କ ଚାହିଦା ପୂରଣ ପାଇଁ ରେଳ ବିଭାଗ ପ୍ରୟାସ କରୁଥିବାର ସେ କହିଥିଲେ |

ସମ୍ବନ୍ଧିତ ଖବର