ପରିବାରର ୮ ସଦସ୍ୟ ୨୪ ଦିନରେ ଚାଲିଗଲେ: ୨ ପିଲାଙ୍କୁ ଧରି ଏକାକୀ ସଂଘର୍ଷ କରୁଛନ୍ତି ସୀମା ସିଂହ

ଲକ୍ଷ୍ନୌ: କରୋନାର ଦ୍ବିତୀୟ ଲହର ଦେଶବ୍ୟାପୀ ଭୟ ଓ ଆତଙ୍କ ଖେଳାଇ ଦେଇଥିଲା। ପ୍ରିୟଜନମାନଙ୍କ ମୃତ୍ୟୁ ପରିବାରକୁ ଦୋହଲାଇ ଦେଇଥିଲା। କିଛି ଲୋକ ଯନ୍ତ୍ରଣାରୁ ବାହାରି ଜୀବନକୁ ପୁଣିଥରେ ସ୍ବାଭାବିକ କରିଛନ୍ତି। କିଛି ଲୋକଙ୍କ ଜୀବନ ଏଯାବତ ସ୍ବାଭାବିକ ହୋଇପାରିନି। ଲକ୍ଷ୍ନୌରେ ଏଭଳି ଏକ ଘଟଣା ସଂପର୍କରେ ଏଠାରେ ଆଲୋକପାତ କରାଯାଇଛି। ଲକ୍ଷ୍ନୌର ଇମାଲିୟା ପୂର୍ବ ସ୍ଥିତ ଏକ ଗ୍ରାମରେ ଯାଦବ ପରିବାରର ୮ ବଖରିଆ ଘର ଏବେ ଭୂତ କୋଠି ପାଲଟିଛି। ଗତବର୍ଷ କରୋନା ମହାମାରୀର ଦ୍ବିତୀୟ ଲହରରେ ଏହି ପରିବାରର ୮ ଜଣ ସଦସ୍ୟ ମାତ୍ର ୨୪ ଦିନରେ ଆଗ ପଛ ହୋଇ ଆଖି ବୁଜିଦେଇଥିଲେ। ପ୍ରତି ୩ ଦିନରେ ଥରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପରିବାରର ୨ ଭଉଣୀ, ୪ ଭାଇ, ସେମାନଙ୍କ ମା’ ଏବଂ କାକି ଆଖି ବୁଜି ଦେଇଥିଲେ।। ସେମାନଙ୍କ ମଧ୍ୟରୁ କିଛି ଜଣ ଘରୋଇ ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ଅଭାବରୁ ଆଖି ବୁଜିଥିବା ବେଳେ ଅନ୍ୟମାନଙ୍କର ଘରେ ହିଁ ମୃତ୍ୟୁ ଘଟିଥିଲା।

ପରିବାରର ଜଣେ ସଦସ୍ୟ ସୀମା ସିଂହ ଯାଦବ ଏବଂ ତାଙ୍କର ୨ ପିଲା ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ସୀମା ସିଂହ ଯାଦବଙ୍କ ସ୍ବାମୀ ୪୫ ବର୍ଷୀୟ ନିରାକାର ସିଂହ ଗତବର୍ଷ ଏପ୍ରିଲ ୨୫ରେ ପ୍ରାଣ ହରାଇଥିଲେ। ସୀମା ସିଂହ କହିଛନ୍ତି, ବର୍ଷେ ବିତିବା ସହ କଷ୍ଟ ବି ବଢ଼ୁଛି। ସ୍ବାମୀଙ୍କ ସମେତ ପରିବାରର ୮ ଜଣଙ୍କ ବିୟୋଗରେ ସେ ଭାଙ୍ଗି ପଡ଼ିଛନ୍ତି। କିନ୍ତୁ ଏବେ ତାଙ୍କର ମୁଖ୍ୟ ଚିନ୍ତା ହେଉଛି ତାଙ୍କର ୨ ପୁଅଙ୍କୁ ମଣିଷ କରିବା। ତାଙ୍କର ବଡ଼ ପୁଅ ଜଣେ ଫ୍ୟାସନ୍‌ ଡିଜାଇନ୍‌ ଛାତ୍ର ଅନ୍ୟପକ୍ଷେ ସାନ ପୁ୍ଅ ଦ୍ବାଦଶ ଶ୍ରେଶୀ ପରୀକ୍ଷା ଦେଉଛନ୍ତି। ସୀମା କହିଛନ୍ତି, ମୁଁ କେବଳ ମୋର ୨ ପିଲାଙ୍କ ପାଇଁ ବଞ୍ଚିଛି। ସ୍ବାମୀଙ୍କ ମୃତ୍ୟୁ ପରେ ପିଲାମାନଙ୍କୁ ମଣିଷ କରିବା ପାଇଁ ସୀମା ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସବୁ କଷ୍ଟକୁ ମୁକାବିଲା କରି ସେ ଆଗକୁ ବଢ଼ୁଛନ୍ତି।

ସମ୍ବନ୍ଧିତ ଖବର