ଫ୍ଲୋରିଡ଼ା: ସ୍ପେସ୍ଏକ୍ସର ଫାଲ୍‌କନ୍-୯ ରକେଟ୍ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ୪ ଜଣ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଉଡ଼ାଣ ଭରିବାର ୮ ମିନିଟ୍‌ରୁ କମ୍ ସମୟ ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଥିଲା। ଭାରତୀୟ ଗ୍ରୁପ୍ କ୍ୟାପ୍‌ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସମେତ ୪ ଜଣ ମହାକାଶଚାରୀଙ୍କୁ ନେଇ କ୍ରୁ ଡ୍ରାଗନ୍ କ୍ୟାପସୁଲ ଆଇଏସ୍ଏସ୍ ଅଭିମୁଖେ ଯାତ୍ରା ଜାରି ରଖିଥିଲା।

Advertisment

ସଫ୍ଟୱେର ତ୍ରୁଟି ଯୋଗୁଁ ପାଣିପାଗ ତଥ୍ୟ ଅପ୍‌ଲୋଡ୍ ହେବାରେ ବାଧା ଉପୁଜିବାରୁ ୬ ଥର ବିଳମ୍ବିତ ହୋଇଥିବା ଏହି ଉତ୍‌କ୍ଷେପଣ ସପ୍ତମ ବିଳମ୍ବର ସମ୍ମୁଖୀନ ହୋଇଥିଲା। କିନ୍ତୁ କିଛି ମିନିଟ୍ ବାକି ଥିବା ବେଳେ ଏହାର ସମାଧାନ ହୋଇଯାଇଥିଲା ଏବଂ ଅପରାହ୍ଣ ୧୨ଟା ୧ ମିନିଟ୍ (ଭାରତୀୟ ସମୟ) ବେଳକୁ ଫାଲକନ୍-୯ ରକେଟ୍‌ର ଶକ୍ତିଶାଳୀ ମର୍ଲିନ୍ ଇଞ୍ଜିନ୍ ଗର୍ଜିଉଠିଥିଲା। ଏହାପରେ ଏହି ରକେଟ୍ କେନେଡି ସ୍ପେସ୍ ସେଣ୍ଟରର ଲଞ୍ଚ୍ କମ୍ପ୍ଲେକ୍ସ ୩୯-ଏରୁ ଉଡ଼ାଣ ଭରିଥିଲା- ଯେଉଁ ସ୍ଥାନରୁ ନୀଲ ଆର୍ମଷ୍ଟ୍ରଙ୍ଗ ୧୯୬୯ରେ ଆପୋଲୋ ୧୧ରେ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲେ। ଏହା ସହିତ ଆକ୍ସମ୍ ମିସନ-୪ ବା ଆକ୍ସ-୪କୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଥିଲା।

ଫାଲ୍‌କନ୍-୯ ରକେଟ୍ କ’ଣ?
ଫାଲ୍‌କନ୍‌-୯ ଏକ ପୁନଃବ୍ୟବହାରଯୋଗ୍ୟ, ଦୁଇ ପର୍ଯ୍ୟାୟ ରକେଟ୍ ଯାହାକୁ ସ୍ପେସ୍ଏକ୍ସ ଦ୍ୱାରା ଡିଜାଇନ୍ ଓ ନିର୍ମାଣ କରାଯାଇଛି। ଏହା ହେଉଛି ବିଶ୍ୱର ପ୍ରଥମ ଅର୍ବିଟାଲ ଶ୍ରେଣୀର ପୁନଃବ୍ୟବହାରଯୋଗ୍ୟ ରକେଟ୍। ଏହାର ଅର୍ଥ ହେଉଛି ସ୍ପେସ୍ଏକ୍ସ ରକେଟ୍‌ର ସବୁଠାରୁ ଦାମୀ ଅଂଶକୁ ପୁନଃବ୍ୟବହାର କରିପାରିବ ଏବଂ ଏହାଦ୍ବାରା ମହାକାଶ ଅଭିଯାନର ଖର୍ଚ୍ଚକୁ ହ୍ରାସ କରିପାରିବ। ଏହା ସ୍ପେସ୍ଏକ୍ସ ଦ୍ୱାରା ବିକଶିତ ୯ଟି ମର୍ଲିନ୍ ଇଞ୍ଜିନ୍ ଦ୍ୱାରା ପରିଚାଳିତ, ଯାହା ଗ୍ୟାସ୍-ଜେନେରେଟର ପାୱାର ଚକ୍ରରେ ରକେଟ୍ ଗ୍ରେଡ୍ କିରୋସିନ ଓ ତରଳ ଅମ୍ଳଜାନକୁ ପ୍ରୋପେଲାଣ୍ଟ ଭାବରେ ବ୍ୟବହାର କରେ। ରକେଟ୍ ଭଳି ଏହି ଇଞ୍ଜିନକୁ ମଧ୍ୟ ପୁନରୁଦ୍ଧାର ଓ ପୁନଃବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି। ଫାଲକନ୍-୯ର ଦୁଇଟି ବିଭାଗ ରହିଛି; ଏହା ହେଉଛି ପ୍ରଥମ ଯାହା ପୁନଃ ବ୍ୟବହାର କରାଯାଇପାରିବ। ଏହି ଭାଗଟି କ୍ରୁ କ୍ୟାପସୁଲ ସଫଳତାର ସହ ପୂର୍ବ ନିର୍ଦ୍ଧାରିତ ଉଚ୍ଚତା ଓ ବେଗରେ ପହଞ୍ଚିବା ପରେ ଅଲଗା ହୋଇଯାଏ। ଏହି ସମୟରେ ବୁଷ୍ଟର ସେକ୍ସନ ଡି-ଲିଙ୍କ୍ ହୋଇ ପୃଥିବୀକୁ ଫେରିଯାଏ।