ମୁମ୍ବାଇ: ମହାରାଷ୍ଟ୍ରର ଆକୋଲା ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜନୈକା ଆଠ ମାସର ଝିଅକୁ ଡାକ୍ତରଖାନାରେ ଦୂଷିତ ରକ୍ତ ଦିଆଯିବା ପରେ ସଂପୃକ୍ତ ଶିଶୁଟି ଏଚଆଇଭିରେ ସଂକ୍ରମିତ ହୋଇପଡ଼ିଥିବା ଜାଣିବାକୁ ମିଳିଛି। ଶିଶୁଟିର ପରିବାର ସଦସ୍ୟଙ୍କ ବକ୍ତବ୍ୟ ଅନୁଯାୟୀ, ଶିଶୁଟିର ଶରୀରରେ ରକ୍ତର ମାତ୍ରା କମ ଥିବାରୁ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ ଓ ନିର୍ଦ୍ଦେଶ ଅନୁସାରେ ଆକୋଲାସ୍ଥିତ ଏକ ବ୍ଲଡ ବ୍ୟାଙ୍କରୁ ରକ୍ତ ଅଣାଯାଇ ଶିଶୁଟିକୁ ଦିଆଯାଇଥିଲା। ତେବେ, ବ୍ଲଡ ବ୍ୟାଙ୍କରୁ ମିଳିଥିବା ରକ୍ତଟି ଦୂଷିତ ଥିବାରୁ ରକ୍ତ ନେବାପରେ ଶିଶୁଟିର ଅବସ୍ଥା ସୁଧୁରିବା ପରିବର୍ତ୍ତେ ଅଧିକ ଗୁରୁତର ହୋଇପଡ଼ିଥିଲା। ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଦୂଷିତ ରକ୍ତ ଦିଆଯିବା ପରେ ଶିଶୁଟି ଏଚଆଇଭିରେ ସଂକ୍ରମିତ ହୋଇପଡ଼ିଛି।
ଏହି ଘଟଣା ଜଣାପଡ଼ିବା ପରେ ଏହାକୁ କେନ୍ଦ୍ର କରି ଏବେ ହଇଚଇ ସୃଷ୍ଟି ହୋଇଛି। ମହାରାଷ୍ଟ୍ର ସରକାର ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ସେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତିନି ଦିନ ମଧ୍ୟରେ ଘଟଣା ସଂପର୍କରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ଆମେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହି ଅସାବଧାନତା ଝିିଅଟିର ଜୀବନକୁ ବିପଦରେ ପକାଇ ଥିବାରୁ ଘଟଣାରେ ସଂପୃକ୍ତ କାହାରିକୁ କ୍ଷମା କରାଯିବ ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।