ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଆଉ ୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ମୁମ୍ବାଇରୁ ବୋଲି ଜଣାପଡ଼ିଛି । ଏହି ୮ ଜଣଙ୍କ ମଧ୍ୟରୁ ୭ ଜଣ ଟିକା ନେଇଥିବାବେଳେ ଜଣେ ଟିକା ନେଇନାହାନ୍ତି । ଏହା ସହିତ ମହାରାଷ୍ଟ୍ରରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୩କୁ ବୃଦ୍ଧି ପାଇଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଚିହ୍ଟଟ ହୋଇଥିବା ଏହି ୮ ଆକ୍ରାନ୍ତମାନେ ନିକଟ ଅତୀତରେ କୌଣସି ଅନ୍ତର୍ଜାତୀୟ ଯାତ୍ରା କରିନାହାନ୍ତି । ଏଣୁ ମହାରାଷ୍ଟ୍ରରେ ବିଶେଷ କରି ମୁମ୍ବାଇ ଓ ପୁନେରେ ଓମିକ୍ରନ ସ୍ଥାନୀୟ ଭାବେ ବ୍ୟାପିବା ଆରମ୍ଭ କରିଥିବା ସନ୍ଦେହ କରାଯାଉଛି । ଆଉ ଏକ ଚିନ୍ତାଜନକ କଥା ହେଉଛି, ଚିହ୍ନଟ ହୋଇଥିବା ଏହି ୮ ଜଣ ଆକ୍ରାନ୍ତଙ୍କ ବୟସ ୨୪ ବର୍ଷରୁ ୪୪ ବର୍ଷ ମଧ୍ୟରେ ରହିଛି ।
ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ଚିହ୍ନଟ ୨୮ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ଆରୋଗ୍ୟ ଲାଭ କରି ନେଗେଟିଭ ଆରଟିପିସିଆର ରିପୋର୍ଟ ସହ ଘରକୁ ଫେରିଛନ୍ତି ।
ଆଜି ସିଏସଆଇଆରର ଜିନୋମିକ୍ସ ବୈଜ୍ଞାନିକ ଡ.ଅନୁରାଗ ଅଗ୍ରଓ୍ବାଲ କହିଛନ୍ତି ଯେ ଯେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲେ ବି ଖୁବଶୀଘ୍ର ସ୍ଥିତି ବଦଳିଯାଇପାରେ । ଓମିକ୍ରନର ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ଅତିକ୍ରମ କରିବାର କ୍ଷମତା ରହିଛି ।