ଭାରତର ମୁହଁତୋଡ଼ ଜବାବ : ପାକିସ୍ତାନର ୮ ସୈନିକ ନିହତ, ୧୨ ଆହତ

ବିଭିନ୍ନ ସ୍ଥାନରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଭାରତର ୩ ଯବାନ ସହିଦ,୪ ନାଗରିକ ମୃତ

ଶ୍ରୀନଗର : ପାକିସ୍ତାନର ଅସ୍ତ୍ରବିରତି ଉଲ୍ଳଂଘନ ଯୋଗୁଁ ଆଜି ଉତ୍ତର ଜମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ୩ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୪ ନାଗରିକଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଇଛି। ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ୮ ଜଣ ପାକ୍‌ ସୈନିକ ନିହତ ହୋଇଛନ୍ତି ଏବଂ ୧୦ରୁ ୧୨ ସୈନିକ ଆହତ ହୋଇଥିବାର ଖବର ମିଳିଛି। ଏହା ସହିତ ପାକ୍‌ ସେନାର ୨ଟି ବଙ୍କର୍‌ ଏବଂ ତେଳ ଭଣ୍ଡାରକୁ ମଧ୍ୟ ଧ୍ବସ୍ତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ଆଜି ଏକ ଟ୍ବିଟ୍‌ କରି କହିଛନ୍ତି ଯେ ଦାୱର, କେରନ୍‌, ଉରି, ଏବଂ ନୌଗାମ୍‌ରେ ପାକିସ୍ତାନ ମୋର୍ଟାର ଏବଂ ଅନ୍ୟାନ୍ୟ ଅସ୍ତ୍ର ବ୍ୟବହାର କରି ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରିଥିଲା। ତେବେ ଭାରତୀୟ ସେନାର ପାଲଟା ଆକ୍ରମଣରେ ପାକିସ୍ତାନ ପଟେ ପ୍ରବଳ କ୍ଷୟକ୍ଷତି ହୋଇଛି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନୀ ସେନା ବଙ୍କର୍‌ ଏବଂ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଧ୍ବଂସ କରାଯାଇଛି। ଏନେଇ ଭାରତୀୟ ସେନା ପକ୍ଷରୁ ବିଭିନ୍ନ ଭିଡିଓ ମଧ୍ୟ ସେୟାର କରାଯାଇଛି। ଜମ୍ମୁ କାଶ୍ମୀର ବାରମୁଳା, କୁପ୍‌ୱାଡ଼ା ଏବଂ ବାନ୍ଦିପୁରା ଜିଲ୍ଲାର ଉରି, ନୌଗାମ୍‌, ତାଙ୍ଗଧର, କେରନ୍‌ ଅଞ୍ଚଳ ନିକଟସ୍ଥ ବିଭିନ୍ନ ପାକିସ୍ତାନୀ ବଙ୍କର୍‌କୁ ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଡ଼ କରାଯାଉଥିବା ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି।

ଜଣେ ପ୍ରତିରକ୍ଷା ମୁଖପାତ୍ରଙ୍କ କହିବା ଅନୁଯାୟୀ କେରନ୍‌ ସେକ୍ଟର ସ୍ଥିତ ଏଲ୍‌ଓସି ନିକଟରେ ଭାରତୀୟ ସେନା ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି। କର୍ଣ୍ଣେଲ୍‌ ରାଜେଶ କାଲିଆ କହିଛନ୍ତି, ଏଲ୍‌ଓସି ସ୍ଥିତ ଆଗୁଆ ଘାଟି ନିକଟରେ ସନ୍ଦେହଜନକ ଗତିବିଧି ଉପରେ ନଜର ରଖି ଆମ ସେନା ପ୍ରସ୍ତୁତ ରହିଥିଲେ। ଏହି ସମୟ‌ରେ ପାକିସ୍ତାନ ପଟୁ ଆଖିବୁଳା ଗୁଳିଗୋଳା ବର୍ଷା ହୋଇଥିଲା। ପାକିସ୍ତାନ ଗୋଳା ମାଡ଼ କରିବା ସହ ଅନ୍ୟାନ୍ୟ ଅସ୍ତ୍ରର ବ୍ୟବହାର କରିଛି ବୋଲି ସେ କହିଛନ୍ତି। ସପ୍ତାହକ ମଧ୍ୟରେ ଏହା ପାକିସ୍ତାନର ଦ୍ବିତୀୟ ଅନୁପ୍ରବେଶ ଉଦ୍ୟମ। ନଭେମ୍ବର ୭-୮ରେ ପାକିସ୍ତାନ ପଟୁ ମଛ୍‌ଲି ସେକ୍ଟରରେ ପ୍ରଥମ ଅନୁପ୍ରବେଶ ଉଦ୍ୟମ ହୋଇଥିଲା। କିନ୍ତୁ ଭାରତୀୟ ସେନା ପାକିସ୍ତାନର ଏହି ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଥିଲା ଏବଂ ୩ ଆତଙ୍କବାଦୀ ନିପାତ ହୋଇଥିଲେ।

ସମ୍ବନ୍ଧିତ ଖବର