ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅମ୍ଲଜାନର ଅଭାବ ଅଭିଶାପ ପାଲଟିଯାଇଛି । ଦେଶର ରାଜଧାନୀ ଦିଲ୍ଲୀ ତୁଗଲକବାଦ ଶିଳ୍ପାଂଚଳର ବାତ୍ରା ହସ୍ପିଟାଲରୁ ଆସିଛି ଛାତିକୁ ଥରାଇ ଦେଲା ଭଳି ଖବର । ଲିକ୍ୟୁଡ ମେଡିକାଲ ଅକ୍ସିଜେନ ଅଭାବରୁ ୮ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଦୀପ ଲିଭିଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ବାତ୍ରା ହସ୍ପିଟାଲର ଗ୍ୟାଷ୍ଟ୍ରୋଏଂଟ୍ରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ଆରକେ ହିମଥାନି । ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ସକାଳ ୭ଟାରେ ଆବଂଟିତ ହୋଇଥିବା ଅମ୍ଲଜାନ ନ ପହଂଚିବାରୁ ପ୍ରମାଦ ଗଣିଥିଲେ ହସ୍ପିଟାଲ କର୍ମଚାରୀ। ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମସ୍ତ ଉଦ୍ୟମ ସତ୍ୱେ ଦେଖୁ ଦେଖୁ ଚାଲିଗଲା ୮ ଅମୂଲ୍ୟ ଜୀବନ ।
ପ୍ରଥମ ଲହରରେ ଅମ୍ଲଜାନର ଅଭାବ ଦେଖାଦେଇନଥିବା ବେଳେ କରୋନାର ଦ୍ବିତୀୟ ଲହରରେ ଅମ୍ଲଜାନର ଅଭାବ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ଅମ୍ଲଜାନର ଅଭାବ ପାଇଁ ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଦେଶରେ ବଢ଼ୁଥିବା ସଂକ୍ରମଣରେ ସାରା ବିଶ୍ବର ନଜରରେ ରହିଛି। ଗତକାଲି ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ କହିଥିଲେ ଯେ, ରୋନା ସଂକ୍ରମିତଙ୍କ ସଂଖ୍ୟା ଅତି ଚିନ୍ତାଜନକ ବେଗରେ ବଢିଚାଲିଥିବାରୁ ଦେଶରେ ଗତ ବର୍ଷ ପରି ପୁଣି ଥରେ ଲକଡାଉନ ଲଗାଇବାର ଜରୁରୀ ଆବଶ୍ୟକତା ଦେଖାଦେଇଛି। ତେବେ ଆଗକୁ ସରକାର କଣ ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/t-12.jpg)