ନେପାଳରେ ହିମାଳୟ ଭାଏଗ୍ରା ତୋଳିବାକୁ ଯାଇ ଜଣେ ଶିଶୁ ସମେତ ୮ ଜଣ ମୃତ

କାଠମାଣ୍ଡୁ: ନେପାଳର ଦୋଲ୍‌ପା ଜିଲ୍ଲାରେ ହିମାଳୟର ଭାଏଗ୍ରା ନାମରେ ସୁପରିଚିତ ଦୁର୍ଲଭ ଔଷଧୀୟ କବକ ‘ୟାର୍ସାଗୁମ୍ବା’ ତୋଳିବାକୁ ଯାଇଥିବା ଅନ୍ୟୂନ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା କଥା ଗୁରୁବାର ଦିନ ପୁଲିସ କହିଛି।

ଯୌନ-ଉତ୍ତେଜକ ଗୁଣ ପାଇଁ ପରିଚିତ ‘ୟାର୍ସାଗୁମ୍ବା’ ସମୁଦ୍ରପତ୍ତନ ଠାରୁ ୧୦ ହଜାର ଫୁଟ୍‌ ଉଚ୍ଚ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ମିଳେ।

ସମ୍ବାଳୁଆ ପରି ଦିଶୁଥିବା ଏହି ବିଚିତ୍ର ଛତୁ ତୋଳିବା ବେଳେ ଗତ ଗୋଟିଏ ସପ୍ତାହ ମଧ୍ୟରେ ଅନ୍ୟୂନ ଆଠଜଣ ଲୋକ ଜୀବନ ହରାଇଛନ୍ତି। ଏଇ ମହଙ୍ଗା ଛତୁ ତୋଳିବା ସମୟରେ ଉଚ୍ଚତାଜନିତ ଅସୁସ୍ଥତା ଯୋଗୁଁ ପାଞ୍ଚ ଜଣ ତୋଳାଳି ମରିଥିବା ବେଳେ ଦୁଇଜଣ ପର୍ବତ ଅତଡ଼ାରୁ ଖସିପଡ଼ି ମରିଛନ୍ତି ବୋଲି ପୁଲିସ କହିଛି।

ଔଷଧୀୟ ଛତୁ ତୋଳିବା ପାଇଁ ଯାଇଥିବା ଜଣେ ମହିଳାଙ୍କ ସାଥିରେ ଥିବା ତାଙ୍କ ପିଲାଟି ମଧ୍ୟ ଉଚ୍ଚତାଜନିତ ଅସୁସ୍ଥତା ଯୋଗୁଁ ପ୍ରାଣ ହରାଇଛି।
ଏଇ ମୂଲ୍ୟବାନ ଛତୁ ଖୋଜିବା ପାଇଁ ପ୍ରତି ଗ୍ରୀଷ୍ମଋତୁରେ ମାଇଲ୍‌ ମାଇଲ୍‌ ଦୂରରୁ ଲୋକେ ଆସନ୍ତି। ଏସିଆ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି କବକର ମୂଲ୍ୟ ଗ୍ରାମ୍‌ ପିଛା ୧୦୦ ଡଲାର୍‌।

 

ୟାର୍ସାଗୁମ୍ବା ସଂଗ୍ରହକାରୀଙ୍କ ସୁବିଧା ନିମନ୍ତେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଶିବିର ପକାଇଛନ୍ତି। ଏଇ ଶିବିରଗୁଡ଼ିକରେ ଡଜନାଧିକ ତୋଳାଳି ଚିକିତ୍ସାଧୀନ ଅଛନ୍ତି।

ପରଭୋଜୀ ଛତୁ ମଞ୍ଜି ମାଟି ଭିତରେ ଥିବା ଭୂତ ନିଶାଚର ପ୍ରଜାପତିର ଶୂକକୀଟକୁ ସଂକ୍ରମଣ କରି ମମ୍ମିରେ ପରିଣତ କରିଦେବା ଦ୍ୱାରା ‘ୟାର୍ସାଗୁମ୍ବା’ ସମ୍ବାଳୁଆ ଛତୁ ସୃଷ୍ଟି ହୋଇଥାଏ।

ସମ୍ବନ୍ଧିତ ଖବର