୮ ପ୍ରତିଶତ ପ୍ରବାସୀ କରୋନା ଆକ୍ରାନ୍ତ, ବିହାର ପାଇଁ ସଙ୍କଟ ବଢ଼ିଲା

ପାଟନା‌/ରାଞ୍ଚି: ବିହାର ପାଇଁ ପ୍ରବାସୀ ଶ୍ରମିକ ସଙ୍କଟ ବଢ଼ାଇଛନ୍ତି। ବାହାର ରାଜ୍ୟରୁ ବିହାରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ରାଜ୍ୟରେ ଏବେ ମୋଟ୍‌ ୬୫୧ ଜଣ ପ୍ରବାସୀ ଶ୍ରମିକ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟକୁ ଫେରିଥିବା ୭.୪ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଏଯାବତ୍‌ ପ୍ରାୟ ୧୧,୮୦୦ ନମୁନା ସଂଗ୍ରହ କରାଯାଇଛି। ତେବେ ୮,୩୩୭ କରୋନା ପରୀକ୍ଷା ଫଳାଫଳ ଆସି ସାରିଛି। ଏଥିରୁ ଜଣାପଡ଼ିଛି ଯେ ୮ ପ୍ରତିଶତ ପ୍ରବାସୀ କରୋନା ଆକ୍ରାନ୍ତ ହୋଇଛନ୍ତି। ‌ ଯଦି ଏହି ସଂକ୍ରମଣ ହାର ଜାରି ରହେ, ତେବେ ବିହାରରେ ସଂକ୍ରମଣ ମାମଲା ଖୁବ୍‌ ଶୀଘ୍ର ୫୫ ହଜାର ଟପିଯିବ। ଇତି ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ପରୀକ୍ଷା ଦୁଇ ଗୁଣ କରିବା ପାଇଁ ସ୍ବାସ୍ଥ୍ୟ ବିଭା‌ଗକୁ କହିଛନ୍ତି। ମେ’ ୧୦ ତାରିଖରେ ଝାଡ଼ଖଣ୍ଡରେ ୩ କ‌ରୋନା ରୋଗୀ ସୁସ୍ଥ ହୋଇଥିବା ‌ଘୋଷିତ ହୋଇଥିଲା‌ ଏବଂ ୨୦ ଦିନ ମଧ୍ୟ‌ରେ କୌଣସି ନୂଆ ମାମଲା ନଥିବା କୁହାଯାଇଥିଲା।

ଏହାର ପରଦିନ ଜିଲ୍ଲାକୁ ଗ୍ରିନ୍‌ ଜୋନ୍‌ ଘୋଷଣା କରାଯାଇଥା’ନ୍ତା। କିନ୍ତୁ ମାତ୍ର କିଛି ଘଣ୍ଟା ପରେ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସପ୍ତାହକ ମଧ୍ୟରେ ୨୨ ନୂଆ ମାମଲା ଚିହ୍ନଟ ହୋଇଥିଲା। ପଡ଼ୋଶୀ ଗଡ଼ୱା‌ରେ ମଧ୍ୟ ସଂକ୍ରମଣ ବଢ଼ିଛି। ରାଜ୍ୟରେ ଯେତେବେଳେ କରୋନା ଆରମ୍ଭ ହେଲା ସେ ସମୟରେ ରାଞ୍ଚି ଝାଡ଼ଖଣ୍ଡର ହଟ୍‌ସ୍ପଟ୍‌ ଥିଲା। କିନ୍ତୁ ରାଞ୍ଚି ଏବେ ଆ‌ଉ ହଟ୍‌ସ୍ପଟ୍‌ ନାହିଁ। ରାଞ୍ଚିରେ ଏବେ ମାତ୍ର ୨୦ ସକ୍ରିୟ ମାମଲା ରହିଛି ଅନ୍ୟପକ୍ଷେ ଗ୍ରାମୀଣ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ମାମଲା ୮୭ ରହିଛି। ଗୁଜରାଟ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ର ପରି ରେଡ୍‌ ଜୋନ୍‌ରୁ ଅଧିକାଂଶ ପ୍ରବାସୀ ଝାଡ଼ଖଣ୍ଡକୁ ଆସୁଥିବାରୁ ଏହା ଅଧିକ ଚିନ୍ତା ବଢ଼ାଇଛି। ସମସ୍ତଙ୍କୁ କ୍ବାରାଣ୍ଟିନ୍‌‌ରେ ରଖିବାପାଇଁ ମଧ୍ୟ ରାଜ୍ୟରେ ସଠିକ୍‌ ବ୍ୟବସ୍ଥା ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର