୮ ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ଘୋଷଣା କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ୮ଟି ରାଜ୍ୟରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ଘୋଷଣା କରିବାକୁ ମନା କରିଦେଇଛନ୍ତି। ଜମ୍ମୁ କଶ୍ମୀର, ପଞ୍ଜାବ, ଲାକ୍ଷାଦ୍ୱୀପ, ମିଜୋରାମ, ନାଗାଲାଣ୍ଡ୍‌, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ହିନ୍ଦୁଙ୍କୁ ସଂଖ୍ୟାଲଘୁ ଘୋଷଣା କରିବାନେଇ ହୋଇଥିବା ଏକ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସଂଖ୍ୟାଲଘୁଙ୍କ ପାଇଁ ଥିବା ଜାତୀୟ କମିସନ୍‌ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇପାରିବେ। ତେଣୁ ଆବେଦନକାରୀ କମିସନ୍‌ଙ୍କ ନିକଟରେ ଆବେଦନ କରିବାକୁ କୋର୍ଟ କହିଛନ୍ତି। ଉପରୋକ୍ତ ୮ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ ମାନ୍ୟତା ଦେବାନେଇ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ସେ ତାଙ୍କ ଆବଦେନରେ କହିଥିଲେ ଯେ ଏହି ୮ଟି ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ, କିନ୍ତୁ ସେମାନଙ୍କ ନ୍ୟାଯ୍ୟ ସୁବିଧାସେୁଯୋଗଗୁଡ଼ିକୁ ସଂଖ୍ୟାଗରିଷ୍ଠଙ୍କ ଦ୍ୱାରା ବେଆଇନ ଭାବେ ହଡ଼ପ କରିନିଆଯାଉଛି । ସଂଖ୍ୟାଲଘୁମାନଙ୍କୁ ରାଜ୍ୟସ୍ତରରେ ସଠିକ୍‌ ଭାବେ ଚିହ୍ନଟ କରାଯାଇପାରୁନି ବୋଲି ସେ ଆବେଦନରେ ଦର୍ଶାଇଥିଲେ। ଉଲ୍ଲେଖଯୋଗ୍ୟ କେନ୍ଦ୍ର ଦ୍ୱାରା ୧୯୯୩ ମସିହାର ଏକ ବିଜ୍ଞପ୍ତି ଅନୁଯାୟୀ ମୁସଲିମ୍‌, ଖ୍ରିଷ୍ଟିଆନ, ଶିଖ, ବୌଦ୍ଧ ଏବଂ ପାରସୀମାନଙ୍କୁ ଭାରତରେ ସଂଖ୍ୟାଲଘୁ ମାନ୍ୟତା ମିଳିଥିଲା ଏବଂ ୨୦୧୪ରେ ଜୈନମାନେ ଏହି ତାଲିକାରେ ସାମିଲ ହୋଇଥିଲେ। ୨୦୧୧ ଜନଗଣନାକୁ ଆଧାର କରି ଆବେଦନରେ ୮ଟି ରାଜ୍ୟରେ ହିନ୍ଦୁମାନଙ୍କୁ ସଂଖ୍ୟାଲଘୁ କୁହାଯାଇଥିଲା । ଲାକ୍ଷାଦ୍ୱୀପରେ ୨.୫ ପ୍ରତିଶତ, ମିଜୋରାମ୍‌ରେ ୨.୭୫ ପ୍ରତିଶତ, ନାଗାଲାଣ୍ଡ୍‌ରେ ୮.୭୫ ପ୍ରତିଶତ, ମେଘାଳୟରେ ୧୧.୫୩ ପ୍ରତିଶତ, ଜମ୍ମୁ କଶ୍ମୀରରେ ୨୮.୪୪ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୨୯ ପ୍ରତିଶତ, ମଣିପୁରରେ ୩୧.୩୯ ପ୍ରତିଶତ ଏବଂ ପଞ୍ଜାବରେ ୩୮.୪୦ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଥିବା କୁହାଯାଇଥିଲା। ଆବେଦନରେ ମଧ୍ୟ ଲାକ୍ଷାଦ୍ୱୀପରେ ୯୬.୨୦ ପ୍ରତିଶତ, ଜମ୍ମୁ କଶ୍ମୀରରେ ୬୮.୩୦ ପ୍ରତିଶତ ମୁସଲିମ୍‌ ରହୁଥିବା କୁହାଯାଇଛି। ଏହାବାଦ୍‌ ଆସାମରେ ୩୪.୨୦ ପ୍ରତିଶତ, ପଶ୍ଚିମବଙ୍ଗରେ ୨୭.୫ ପ୍ରତିଶତ, କେରଳରେ ୨୬.୬୦ ପ୍ରତିଶତ, ଉତ୍ତରପ୍ରଦେଶରେ ୧୯.୩୦ ପ୍ରତିଶତ ଏବଂ ବିହାରରେ ୧୮ ପ୍ରତିଶତ ମୁସଲିମ୍‌ ଜନସଂଖ୍ୟା ଥିବା ଆବେଦନରେ କୁହାଯାଇଛି।

ସମ୍ବନ୍ଧିତ ଖବର