ଏପର୍ଯ୍ୟନ୍ତ ସାରା ଦେଶରେ ସ୍ବାଭାବିକଠାରୁ ୮% ଅଧିକ ବର୍ଷା : ସ୍କାଏମେଟ୍

ନୂଆଦିଲ୍ଲୀ : ଦେଶରେ ଜୁନ୧ରୁ ଅଗଷ୍ଟ ୧୫ ମଧ୍ୟରେ ସ୍ବାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି ଜଣାପଡ଼ିଛି । ତେବେ କେତେକ ରାଜ୍ୟରେ ଚିନ୍ତାଜନକ ଭାବେ କମ ବର୍ଷା ହୋଇଥିବାବେଳେ କେତେକ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।

ଦେଶର କେତେକ ଉତ୍ତର ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟଗୁଡ଼ିକରେ ଭଲ ବର୍ଷା ହୋଇଛି । ପୂର୍ବ-ଉତ୍ତରପ୍ରଦେଶରେ ସ୍ବାଭାବିକଠାରୁ ୪୬ ପ୍ରତିଶତ କମ, ବିହାର ଓ ଝାଡ଼ଖଣ୍ଡରେ ସ୍ବାଭାବିକଠାରୁ ୩୯ ପ୍ରତିଶତ କମ ବର୍ଷା ହୋଇଛି । ଗାଙ୍ଗେୟ ପଶ୍ଚିମବଙ୍ଗରେ ସ୍ବାଭାବିକଠାରୁ ୩୮ ପ୍ରତିଶତ କମ ବର୍ଷା ହୋଇଛି ।

ତେବେ ଓଡ଼ିଶା ସମେତ ଦେଶର ଅନ୍ୟ ପ୍ରମୁଖ ରାଜ୍ୟରେ ସ୍ବାଭାବିକ କିମ୍ବା ତାଠାରୁ ଅଧିକ ବର୍ଷା ହୋଇଛି । ବଳକା ବର୍ଷା ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ରହିଛି ତାମିଲନାଡୁ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଓଡ଼ିଶା, ଛତିଶଗଡ଼,ଗୁଜୁରାଟ ଓ ରାଜସ୍ଥାନ ।

ଆଗାମୀ ୧୮ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଓଡ଼ିଶା ଓ ପୂର୍ବ ଭାରତରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ଏପରିକି ପୂର୍ବ ଭାରତରେ ଆଗାମୀ ୧୦ ଦିନ ପାଇଁ ବର୍ଷା ହେବାର ସମ୍ଭାବନା ରହିଛି । ଏପରି ହେଲେ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଗୁରୁତର ହେବାର ଆଶଙ୍କା ରହିଛି ।

 

 

 

ସମ୍ବନ୍ଧିତ ଖବର