ଅଯୋଧ୍ୟା: କ୍ରିକେଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲି, ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନି ଓ ରତନ ଟାଟା, ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଲୋକପ୍ରିୟ ଟିଭି ଧାରାବାହିକ ‘ରାମାୟଣ’ରେ ରାମ ଓ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଓ ଦୀପିକା ଚିଖଲିଆଙ୍କୁ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୩ ହଜାର ଭିଆଇପିଙ୍କ ସମେତ ୭ ହଜାରରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି। ମନ୍ଦିର ଆନ୍ଦୋଳନରେ ପ୍ରାଣ ହରାଇଥିବା କରସେବକଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରାଯିବ। ଏହା ସହିତ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ, ଯୋଗଗୁରୁ ବାବା ରାମଦେବ, ୪ ହଜାର ସାଧୁ, ଲେଖକ, ସାମ୍ବାଦିକ, ବୈଜ୍ଞାନିକ ଏବଂ ଦେଶର ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ଅଛନ୍ତି। ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ଆମେ ୫୦ଟି ଦେଶରୁ ଜଣେ ଲେଖାଏଁ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରୁଛୁ। ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ୫୦ ଜଣ କରସେବକଙ୍କ ପରିବାରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ବିଚାରପତି, ବୈଜ୍ଞାନିକ, ଲେଖକ ଓ କବିମାନଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଛି।

Advertisment

ସାଧୁ, ପୁରୋହିତ, ଶଙ୍କରାଚାର୍ଯ୍ୟ, ପୂର୍ବତନ ପ୍ରଶାସନିକ ଅଧିକାରୀ, ଅବସରପ୍ରାପ୍ତ ସେନା ଅଧିକାରୀ, ଆଇନଜୀବୀ, ସଙ୍ଗୀତଜ୍ଞ ଓ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ରାମଲାଲାଙ୍କୁ ମନ୍ଦିରରେ ୫ ବର୍ଷର ବାଳକ ରୂପରେ ପ୍ରତିଷ୍ଠା କରାଯିବ। ଏଥିପାଇଁ କର୍ଣ୍ଣାଟକରୁ ଅଣାଯାଇଥିବା ଦୁଇଟି ଏବଂ ରାଜସ୍ଥାନରୁ ଅଣାଯାଇଥିବା ଗୋଟିଏ ପଥରରେ ମୂର୍ତ୍ତି ନିର୍ମାଣ କରାଯାଉଛି। ମୂର୍ତ୍ତିଗୁଡ଼ିକ ପ୍ରାୟ ପ୍ରସ୍ତୁତ ହୋଇସାରିଛି ଏବଂ ସେମାନଙ୍କୁ ଚୂଡ଼ାନ୍ତ ସ୍ପର୍ଶ ଦିଆଯାଉଛି।