ମଥୁରା: ଟ୍ରକ ଡ୍ରାଇଭରଙ୍କୁ ଲିଫ୍ଟ ମାଗିଲେ, ଆଉ ଚାଳକଙ୍କୁ ମାଡ ମାରି ଲୁଟିନେଲେ ୮ ହଜାରଟି ସ୍ମାର୍ଟ ଫୋନ | ଏହି ଫୋନଗୁଡିକର ମୂଲ୍ୟ ୭ କୋଟି ଟଙ୍କା ବୋଲି ଜଣାପଡିଛି | ଉତ୍ତରପ୍ରଦେଶର ମଥୁରା ଜାତୀୟ ରାଜପଥରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଅକ୍ଟୋବର ୫ ତାରିଖ ସକାଳେ ଡ୍ରାଇଭର ମୁନିଶ ଯାଦବ ଗ୍ରେଟର ନୋଏଡାରେ ଥିବା ପ୍ଲାଣ୍ଟରୁ ଟ୍ରକରେ ମୋବାଇଲ ଲୋଡ଼ କରି ବାଙ୍ଗାଲୋର ଅଭିମୁଖେ ବାହାରିଥିଲେ | ଆଉ ଉତ୍ତରପ୍ରଦେଶ-ମଧ୍ୟପ୍ରଦେଶ ସୀମା ଫରାହ ପୁଲିସ୍ ଷ୍ଟେସନ ଅଞ୍ଚଳର ଗ୍ୱାଲିଅର୍ ବାଇପାସରୁ ଦୁଇଜଣ ଲୋକ ଲିଫ୍ଟ ମାଗି ଟ୍ରକରେ ବସିଥିଲେ |

Advertisment

ଡ୍ରାଇଭର ଜଣକ ଉତ୍ତରପ୍ରଦେଶର ଝାନ୍ସୀ ଟୋଲଗେଟ ପାର ହେବା ମାତ୍ରେ ଦୁଇ ଜଣ ଦୃବୁର୍ତ୍ତ ଡ୍ରାଇଭରଙ୍କୁ ମାଡ ମାରି ବନ୍ଧକ ରଖିଥିଲେ। ଡ୍ରାଇଭରଙ୍କୁ ମଧ୍ୟପ୍ରଦେଶର ଶୋପୁର ରାସ୍ତାରେ ଫିଙ୍ଗି ଦେଇ ଟ୍ରକ ନେଇ ପଳାଇ ଯାଇଥିଲେ | ଏହି ଘଟଣାକୁ ନେଇ ଓପୋ କମ୍ପାନୀର ବରିଷ୍ଠ ପ୍ରବନ୍ଧକ ଶୋପୁର ଥାନାରେ ଅଭିଯୋଗ କରିଥିଲେ | ତେବେ ଏହି ଘଟଣାଟି ମଥୁରା ଥାନା ଅଧୀନରେ ଆସୁଥିବାର କହି ଏଫଆଇଆର ଗ୍ରହଣ କରିନଥିଲେ | ଏହା ପରେ ବରିଷ୍ଠ ପ୍ରବନ୍ଧକ ଜଣକ ଆଗ୍ରା ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ କରିଥିଲେ | ଯାହା ପରେ ଏକ ମାମଲା ରୁଜୁ ହୋଇଥିଲା।

ପୁଲିସ ଅଧୀକ୍ଷକ କହିଛନ୍ତି ଯେ ଟ୍ରକରେ ରିୟଲ ମି ଏବଂ ଓପୋ କମ୍ପାନୀର ୮୯୯୦ ମୋବାଇଲ୍ ଫୋନ୍ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା ବୋଲି ଜଣାପଡିଛି । ତଦନ୍ତ ପାଇଁ ଏକ ପୁଲିସ ଟିମ୍ ଗଠନ କରାଯାଇଛି ବୋଲି ପୁଲିସ ଅଧୀକ୍ଷକ କହିଛନ୍ତି। ଏହି ଘଟଣାରେ ମଧ୍ୟପ୍ରଦେଶ ପୁଲିସ ସହ ଯୋଗାଯୋଗ କରାଯାଉଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇ ଲୁଟେରାଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି।