କାବୁଲ: ସ୍କୁଲ୍‌ମାନଙ୍କରେ ବିଷ ଦିଆଯାଇଥିବା ପ୍ରାୟ ୮୦ଜଣ ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବୋଲି ଆଫଗାନିସ୍ତାନର ଜଣେ ଶିକ୍ଷା ବିଭାଗ ଅଧିକାରୀ କହିଥିବା କଥା ‘ଫକ୍ସ ନିଉଜ୍‌’ ରିପୋର୍ଟ କରିଛି।

Advertisment

ଉକ୍ତ ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର ଉତ୍ତର ପ୍ରାନ୍ତରେ ଥିବା ସାର୍‌-ଏ-ପୁଲ୍‌ ପ୍ରଦେଶରେ ଶନିବାର ଓ ରବିବାର ଦିନ ଏଭଳି ଘଟଣା ଘଟିଛି।

ପ୍ରାଦେଶିକ ଶିକ୍ଷା ବିଭାଗର ନିର୍ଦେଶକ ମହମ୍ମଦ୍‌ ରହମାନି କହିଛନ୍ତି, ସଙ୍ଗ୍‌ଚରକ୍‌ ଜିଲ୍ଲାରେ ୧ମରୁ ୬ଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ବିଷ ଦିଆଯାଇଛି। ନସ୍‌ୱାନ-ଏ-କାବୋଦ୍‌ ଆବ୍‌ ସ୍କୁଲ୍‌ ର ୬୦ଜଣ ଛାତ୍ରୀ ଓ  ନସ୍‌ୱାନ୍‌-ଏ-ଫୈଜାବାଦ ସ୍କୁଲ୍‌ର ୧୭ଜଣ ଛାତ୍ରୀଙ୍କୁ ବିଷ ଦିଆଯାଇଛି।

ଦୁଇଟିଯାକ ପ୍ରାଥମିକ ବିଦ୍ୟାଳୟ ପାଖାପାଖି ଅବସ୍ଥିତ। ଗୋଟିଏ ସ୍କୁଲ୍‌ରେ ବିଷ ଦିଆଯିବା ପରେ ଆଉ ଗୋଟିଏ ସ୍କୁଲ୍‌ରେ ବିଷ ଦିଆଯାଇଥିଲା। ଆମେ ଉକ୍ତ ଛାତ୍ରୀମାନଙ୍କୁ ଡାକ୍ତରଖାନାକୁ ନେଇ ଆସିଲୁ। ଏବେ ସମସ୍ତେ ଭଲ ଅଛନ୍ତି ବୋଲି ରହମାନି କହିଛନ୍ତି।

publive-image Image Courtesy of NDTV

ଏ ସଂକ୍ରାନ୍ତରେ ଶିକ୍ଷା ବିଭାଗର ତଦନ୍ତ ଚାଲିଛି। ରହମାନି କହିଛନ୍ତି, ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, କେହି ଜଣେ ଆକ୍ରୋଶମୂଳକ ଭାବେ ତୃତୀୟ ବ୍ୟକ୍ତି ବା ପକ୍ଷକୁ ଅର୍ଥ ଦେଇ ଏଭଳି କାର୍ଯ୍ୟ କରାଇଛି। କିନ୍ତୁ, ଏହି ଅନୁସନ୍ଧାନ ବିଷୟରେ ସେ ଆଉ ଅଧିକ ବିବରଣୀ ଦେଇ ନାହାନ୍ତି।

ଝିଅମାନଙ୍କୁ କିଭଳି ବିଷ ଦିଆଗଲା ଓ ସେମାନଙ୍କଠାରେ କି ପ୍ରକାର ଅସୁସ୍ଥତା ଦେଖା ଦେଇଛି, ସେ ବିଷୟରେ ରହମନ କ‌ୌଣସି ସୂଚନା ଦେଇ ନ ଥିବା କଥା ‘ଫକ୍ସ୍‌ ନ୍ୟୁଜ୍‌’ ରିପୋର୍ଟ କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୧ ଅଗଷ୍ଟ ମାସରେ ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସି ମହିଳା ଓ ଝିଅମାନଙ୍କ ଅଧିକାର ଏବଂ ସ୍ବାଧୀନତାକୁ ସଙ୍କୁଚିତ କରିବା ପରେ ପ୍ରଥମ ଥର ପାଇଁ ଝିଅମାନଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି।

ଆଫଗାନିସ୍ତାନରେ ଝିଅମାନଙ୍କ ପାଇଁ ୬ଷ୍ଠ ଶ୍ରେଣୀରୁ ଅଧିକ ପାଠପଢ଼ା ନିଷିଦ୍ଧ କରାଯାଇଥିବା ବେଳେ ମହିଳାମାନଙ୍କ ପାଇଁ ଚାକିରି ଓ ସର୍ବସାଧାରଣ ସ୍ଥାନକୁ ଯିବା ପାଇଁ ମନା କରାଯାଇଛି।