୫ଟି ରାଜ୍ୟରେ ଅଛନ୍ତି ଦେଶର ୮୦% କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଭାରତରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୧୮ ହଜାରରେ ପହଞ୍ଚିଥିବାବେଳେ ତାହାର ପ୍ରାୟ ୮୦ ପ୍ରତିଶତ ମାତ୍ର ୫ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ ଓ ମଧ୍ୟପ୍ରଦେଶରେ ଦେଖାଯାଇଛି । ପ୍ରାୟ ୯୦ ପ୍ରତିଶତ ମାମଲା ୧୦ଟି ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡ଼ୁ ଓ ମଧ୍ୟପ୍ରଦେଶ,ରାଜସ୍ଥାନ,ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର ଓ କର୍ଣାଟକରେ ସୀମିତ ରହିଛି । ସେହିପରି ମୋଟ ସଂଖ୍ୟାର ୬୦ ପ୍ରତିଶତ ୫ଟି ସହର ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ଅହମଦାବାଦ ଓ ଥାନେରେ ଚିହ୍ନଟ ହୋଇଛି ବୋଲି କରୋନା ମୁକାବିଲା ପାଇଁ ଗଠିତ କେନ୍ଦ୍ର ସରକାରଙ୍କ କ୍ଷମତାପ୍ରାପ୍ତ କମିଟି-୧ର ଅଧ୍ୟକ୍ଷ ଭି.କେ.ପାଲ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ଲକଡାଉନ ନହୋଇଥିଲେ କରୋନା ସଂକ୍ରମିତ ସଂଖ୍ୟା ଆହୁରି ଅନେକ ଗୁଣ ଅଧିକ ହୋଇଥାନ୍ତା ।

ସେ କହିଛନ୍ତି ଯେ ଦେଶରେ ପରୀକ୍ଷା କିଟ ନିର୍ମାଣ ବୃଦ୍ଧି ପାଇଛି । ଆସନ୍ତା ୬-୮ ସପ୍ତାହରେ ଦିନକୁ ୫ ଲକ୍ଷ କିଟ ନିର୍ମାଣ ହୋଇପାରିବ । ଦେଶର ୫ଟି କମ୍ପାନି ଓ ୪ରୁ ୬ ଜଣ ବୈଜ୍ଞାନିକ କରୋନା ଟୀକା ବାହାର କରିବା କ୍ଷେତ୍ରରେ ଗବେଷଣା କରୁଛନ୍ତି ।

ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୨୭ ଲକ୍ଷ ୫୫ ହଜାର ୭୧୪ ଟି ନମୁନା ପରୀକ୍ଷଣ ହୋଇଛି । ଏହା ମଧ୍ୟରୁ ୧୮୨୮୭ଟି ପରୀକ୍ଷା ଘରୋଇ ଲାବରେ ହୋଇଛି ବୋଲି ଆଇସିଏମଆର ବୈଜ୍ଞାନିକ ଡ.ରମଣ ଗଙ୍ଗାଖେଡକର କହିଛନ୍ତି । ଆଜି ଗୋଟିଏ ଦିନରେ ୧ ଲକ୍ଷରୁ ଅଧିକ ପରୀକ୍ଷା ହୋଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର