କରୋନାଭାଇରସ୍ ସଙ୍କଟ ସମୟରେ ସୁରତରେ ହିଂସାତ୍ମକ ଆଚରଣ ପ୍ରଦର୍ଶନ କରି ୮୦ ପ୍ରବାସୀ ଶ୍ରମଜୀବୀ ଅଟକ: ଡ୍ରୋନ୍ ମୁତୟନ

ସୁରତ: ଲକଡାଉନ୍ ସମୟରେ ମଧ୍ୟ ସେମାନଙ୍କୁ ଜନ୍ମମାଟିକୁ ଫେରିବା ନିମନ୍ତେ ଅନୁମତି ଦିଆଯାଉ ବୋଲି ଦାବି କରି ଉଗ୍ର ଆଚରଣ ପ୍ରଦର୍ଶନପୂର୍ବକ କେତେକ ଠେଲାଗାଡ଼ି ପୋଡ଼ି ପକାଇଥିବାରୁ ସୁରତ ପୁଲିସ ପ୍ରାୟ ୮୦ଜଣ ପ୍ରବାସୀ ଶ୍ରମଜୀବୀଙ୍କୁ ଅଟକ ରଖିଛି। ଏହି ଶ୍ରମଜୀବୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଓଡ଼ିଶାବାସୀ।

ଲକଡାଉନ୍‌ ଯୋଗୁଁ ସୁରତରେ ଅଟକି ରହିଥିବା ଶହ ଶହ ପ୍ରବାସୀ ଶ୍ରମଜୀବୀ ଶୁକ୍ରବାର ରାତିରେ ଲକସାନା ଅଞ୍ଚଳରେ କେତେକ ଠେଲାଗାଡ଼ି ଏବଂ ପୁରୁଣା ଟାୟାର ପୋଡ଼ାପୋଡ଼ି କରିଥିଲେ।

Image Source: Deccan Herald

ଘଟଣା ପରେ ପରେ ସମ୍ପୃକ୍ତ ଅଞ୍ଚଳରେ ବହୁସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇ ପରିସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ଶହ ଶହ ଶ୍ରମଜୀବୀ ରାସ୍ତାକୁ ଉଠି ଆସି ଦାବି କରିଥିଲେ ଯେ ସେମାନଙ୍କୁ ଘରବାହୁଡ଼ା ନିମନ୍ତେ ବ୍ୟବସ୍ଥା ହେଉ। ସେମାନେ ଆହୁରି କହିଥିଲେ କି, ଯେଉଁ ସ୍ବେଚ୍ଛାସେବୀ ସଂଗଠନ ଖାଦ୍ୟ ପରିବେଷଣ କରୁଛି, ତାହା ସ୍ବାଦହିନ। ପୁଣି ସେ ଖାଦ୍ୟ ପାଇଁ ସେମାନଙ୍କୁ ଧାଡ଼ି ବାନ୍ଧିବାକୁ ପଡୁଛି।

ସମ୍ପ୍ରତି ସେ ଅଞ୍ଚଳବାସୀଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବାକୁ ସୁରତ ପୁଲିସ କେତେଗୁଡ଼ିଏ‌ ଡ୍ରୋନ୍ ମୁତୟନ କରିଛି।

ସମ୍ବନ୍ଧିତ ଖବର