ନୂଆଦିଲ୍ଲୀ: ଆସନ୍ତାକାଲିଠୁ ୮୦ମିଲିୟନ ଲୋକ ବ୍ୟବହାର କରିପାରିବେ ନାହିଁ ଇନଷ୍ଟାଗ୍ରାମ୍। ତେବେ ଭାରତରେ ନୁହେଁ ବରଂ ରୁଷରେ ଆସନ୍ତାକାଲିଠୁ ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲାଗିବ ବୋଲି ଜଣାପଡ଼ିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୃତ୍ୟୁ ନେଇ କରାଯାଇଥିବା ପୋଷ୍ଟକୁ ଫେସବୁକ ଅନୁମତି ଦେବା ପରେ ରୁଷ ଇନଷ୍ଟାଗ୍ରାମ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆସନ୍ତାକାଲିଠୁ ରୁଷ୍, ୟୁକ୍ରେନ ଏବଂ ପୋଲାଣ୍ଡରେ ରହୁଥିବା ୮୦ମିଲିୟନ ଲୋକ ଇନଷ୍ଟାଗ୍ରାମ୍ ବ୍ୟବହାର କରିପାରିବେ ନାହିଁ ବୋଲି ଜଣାପଡ଼ିଛି।
ଏଥିରେ ଅସନ୍ତୋଷ ପ୍ରକାଶ କରି ଇନଷ୍ଟାଗ୍ରାମ୍ ମୁଖ୍ୟ ଆଡାମ୍ ମୋସେରୀ କହିଛନ୍ତି ଯେ, ସୋମବାରଠାରୁ ରୁଷରେ ଇନଷ୍ଟାଗ୍ରାମ ଅଚଳ ହେବ। ଏହି ନିଷ୍ପତ୍ତି ପାଇଁ ୮୦ମିଲିୟନ ଲୋକେ ପରସ୍ପର ସହ ଏବଂ ଦେଶ ବାହାରେ ଥିବା ଲୋକଙ୍କ ସହ କଥା ହୋଇପାରିବେ ନାହିଁ। ଏହା ଭୁଲ ଅଟେ।
ୟୁକ୍ରେନର ଛତିକୁ ଚିରି ଚାଲିଥିବା ରୁଷ ଏବେ ବିଭିନ୍ନ କମ୍ପାନି ଉପରେ ନିଜର ରାଗ ସୁଝାଉଥିବା ଦେଖାଯାଉଛି। କିଛି ଦିନ ପୂର୍ବରୁ ରୁଷ ପ୍ରାୟ ୩୧ଟି ଦେଶକୁ ଶତ୍ରୁ ବୋଲି କହିଥିଲା। ଚୀନର ଗଣମାଧ୍ୟମ ସିଜିଟିଏନ ଦାବି କରିଥିଲା ଯେ ରୁଷ ଏହାର ଶତ୍ରୁ ଦେଶ ତାଲିକାକୁ ଅନୁମୋଦନ କରିଛି। ୟୁକ୍ରେନ ବ୍ୟତୀତ ଆମେରିକା, ବ୍ରିଟେନ, ଜାପାନ ଏବଂ ୟୁରୋପୀୟ ସଂଘରେ ସଦସ୍ୟ ଥିବା ଦେଶ ଏହି ତାଲିକାରେ ରହିଛନ୍ତି। ୟୁରୋପୀୟ ସଂଘରେ ୨୭ଟି ଦେଶ ରହିିଥିବା ବେଳେ ମୋଟ ୩୧ଟି ଦେଶକୁ ଶତ୍ରୁ ଦେଶ ତାଲିକାରେ ସାମିଲ କରିଛି ରୁଷ। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ଏହି ଦେଶଗୁଡ଼ିକ ରୁଷ ଉପରେ ଆର୍ଥିକ କଟକଣା ଲଗାଇବା ସହ ଅନେକ ପ୍ରକଳ୍ପକୁ ସ୍ଥଗିତ ରଖିଥିଲେ। ଏହାର କଡ଼ା ଜବାବ ଦେବାକୁ ଯାଇ ଏଭଳି କରିଥିଲା ରୁଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/instagram-13_Thumb.jpg)