ନୂଆଦିଲ୍ଲୀ: ଭାରତରେ କୋଭିଡ୍‌ -୧୯ ଟିକା ବାଣ୍ଟିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ଟିକା ଦେବା ପାଇଁ ୮୦ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ ସିଇଓ ଆଦର ପୁନାୱାଲା ନିକଟରେ କହିଥିଲେ। ଆସନ୍ତା ବର୍ଷ ଭାରତରେ କୋଭିଡ୍‌ ଟିକା କ୍ରୟ ଏବଂ ବଣ୍ଟନ ପାଇଁ ସରକାରଙ୍କ ପାଖରେ ୮୦ ହଜାର କୋଟି ଥିବ କି ବୋଲି ପୁନାୱାଲା ଏକ ଟ୍ବିଟ୍‌ କରି ସରକାରଙ୍କୁ ପ୍ରଶ୍ନ କରିଥିଲେ। ତେବେ ପୁନାୱାଲାଙ୍କର ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଭୂଷଣ। ‌କୋଭିଡ୍‌ ଟିକା ବଣ୍ଟନ ପାଇଁ ୮୦ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ଯେଉଁ ଆକଳନ କରାଯାଉଛି ସେଥିରେ ସରକାର ରାଜି ନୁହନ୍ତି ବୋଲି ଭୂଷଣ କହିଛନ୍ତି। ଟିକା ବିଶେଷଜ୍ଞଙ୍କୁ ନେଇ ସରକାର ଏକ ଜାତୀୟ କମିଟି ଗଠନ କରିଛନ୍ତି। ଏଯାବତ୍‌ ଟିକା ପାଇଁ ୫ଟି ବୈଠକ ହୋଇ ସାରିଛି। ଏହି ବୈଠକ ଗୁଡ଼ିକରେ ଆମେ ଟିକା ବଣ୍ଟନ ପ୍ରକ୍ରିୟା ଏବଂ ଜନସଂଖ୍ୟାକୁ ପ୍ରାଥମିକତା ଦେବା ସମ୍ପର୍କରେ ଆଲୋଚନା କରିଛୁ ବୋଲି ସେ କହିଛନ୍ତି।