କରୋନା ସଂକଟ ଯୋଗୁଁ ୮୦% କର୍ମଜୀବୀ ଭାରତୀୟଙ୍କ ଆୟ କମିଛି : ସର୍ଭେ

ନୂଆଦିଲ୍ଲୀ : ଚଳିତ କରୋନା ଭାଇରସ ମହାମାରୀ ସରକାର, ଶିଳ୍ପଜଗତଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁତରଭାବେ ପ୍ରଭାବିତ କରିଛି । ଏକ ଅଧ୍ୟୟନ ଅନୁସାରେ ଏହି ସଂକଟ ଯୋଗୁଁ ପ୍ରାୟ ୮୦ ପ୍ରତିଶତ କର୍ମଜୀବୀ ଭାରତୀୟଙ୍କ ଆୟ ହ୍ରାସ ପାଇଛି । ୯୨ ପ୍ରତିଶତ କର୍ମଜୀବି ଭାରତୀୟ ଆଗକୁ ଅବସ୍ଥା ଆହୁରି ଖରାପ ହେବ ବୋଲି ମନେ କରୁଛନ୍ତି ।

ଜେନେରାଲି ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ଅନୁସାରେ ପ୍ରାୟ ୮୦ ପ୍ରତିଶତ କର୍ମଜୀବି ଭାରତୀୟ ଆୟ ହ୍ରାସ ପାଇଥିବା ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବ ବୋଲି ସେମାନେ ଆଶଙ୍କା କରୁଛନ୍ତି । ସେହିପରି ବ୍ୟବସାୟ କରୁଥିବା ଭାରତୀୟମାନେ ଆଶଙ୍କା କରିଛନ୍ତି ଯେ ଆଗାମୀ କିଛି ମାସ ମଧ୍ୟରେ ସେମାନେ ନିଜ ଆୟର ଅଧା ହରାଇବେ । ମୋଟାମୋଟିଭାବେ ଅଧିକାଂଶ କର୍ମଜୀବି ଓ ଆତ୍ମନିର୍ଭରଶୀଳ ଭାରତୀୟ ନିଜର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି । ନିଜ ନିଜ ପରିବାରକୁ କିପରି ଭରଣପୋଷଣ କରିବେ ସେ ନେଇ ଭାରତୀୟମାନେ ଚିନ୍ତିତ ଅଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ଅନ୍ତର୍ଜାତୀୟ ସ୍ତରରେ ଏକ ପ୍ରମୁଖ ବୀମା କମ୍ପାନି ଭାବେ ଜଣାଶୁଣା ଜେନେରାଲି ଗ୍ରୁପ ୨୨ଟି ଦେଶରେ ଏହି ସର୍ଭେ କରିଥିଲା । ଭାରତରେ ଏହି ସର୍ଭେ ଏକ ମାର୍କେଟ ରିସର୍ଚ୍ଚ ସଂସ୍ଥା ଏପିଫଲି ସହ ମିଳିତଭାବେ କରାଯାଇଥିଲା ।

ସମ୍ବନ୍ଧିତ ଖବର