ଇଲେକ୍ଟ୍ରିକ୍‌ ସ୍କୁଟର୍‌ ବ୍ୟାଟେରି ଫାଟି ୮୦ ବର୍ଷିୟ ବୃଦ୍ଧ ମୃତ; ୩ ଆହତ

ହାଇଦ୍ରାବାଦ: ଘରେ ଚାର୍ଜରେ ବସିଥିବା ଗୋଟାଏ ଇଲେକ୍ଟ୍ରିକ୍‌ ସ୍କୁଟର୍‌ର ବ୍ୟାଟେରି ଫାଟିଯିବାରୁ ନିଜାମାବାଦ ଜିଲ୍ଲାରେ ଜଣେ ୮୦ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ତାଙ୍କ ପରିବାରର ୩ଜଣ ସଦସ୍ୟ ଆହତ ହୋଇଥିବା କଥା ପୁଲିସ କହିଛି।

ଘଟଣାଟି ବୁଧବାର ପାହାନ୍ତାରେ ଘଟିଛି। ଘର‌ର ଗୋଟାଏ କୋଠରିରେ ସ୍କୁଟର୍‌ଟି ଚାର୍ଜ ବସିଥିବା ବେଳେ ବ୍ୟାଟେରି ଫାଟିଯାଇ ସେଥିରେ ନିଆଁ ଲାଗିଯାଇଥିଲା। ଫଳରେ ସେ କୋଠରିରେ ଶୋଇଥିବା ପରିବାର ୩ଜଣ ପୋଡ଼ିଯାଇ ଆହତ ହୋଇଥିଲେ। ନିଆଁ ଲିଭାଇବାକୁ ଉଦ୍ୟମ କରି ପରିବାରର ଆଉ ଜଣେ ସଦସ୍ୟ ମଧ୍ୟ ଆହତ ହୋଇଥିଲେ।

ଚିକିତ୍ସା ନିମନ୍ତେ ୮୦ ବର୍ଷିୟ ବ୍ୟକ୍ତିଙ୍କ ସମେତ ୪ଜଣଙ୍କୁ ନିଜାମାବାଦ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ, ବୟୋବୃଦ୍ଧ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ଡାକ୍ତରଖାନାକୁ ରେଫର୍‌ କରାଯାଇଥିଲା। କିନ୍ତୁ, ସେଠାକୁ ନିଆଯିବା ବାଟରେ ତାଙ୍କର ଦେହାନ୍ତ ହୋଇଯାଇଥିବା କଥା ପୁଲିସ କହିଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି ରାମସ୍ବାମୀ। ରାମସ୍ବାମୀଙ୍କ ଜୀବନ ରକ୍ଷାକରିବାକୁ ଯାଇ ପୁଅ ପ୍ରକାଶ, ପତ୍ନୀ କମଳାମ୍ମା ଏବଂ ବୋହୂ କୃଷ୍ଣାବେଣୀ ଆହତ ହୋଇଛନ୍ତି ବୋଲି ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

Image Courtesy of NDTV

ପ୍ରାୟ ବର୍ଷେ ହେବ ପ୍ରକାଶ ଇଭି ସ୍କୁଟର୍‌ ଚଢୁଛନ୍ତି। ଅବହେଳା କାରଣରୁ ଜୀବନହାନୀ ଘଟିଲା ବୋଲି ଦର୍ଶାଇ ପୁଲିସ ଉକ୍ତ ସ୍କୁଟର୍‌ର ନିର୍ମାତା ‘ପିଓର୍‌ ଇଭି’ ନାଁରେ ମାମଲା ରୁଜୁ କରିଛି।

କିନ୍ତୁ, ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘ପିଓର୍‌ ଇଭି’ କହିଛି, ଘଟିଥିବା ଘଟଣା ପାଇଁ ଆମେ ଗଭୀର ମର୍ମାହତ ଓ ପୀଡ଼ିତଙ୍କ ପରିବାବର୍ଗଙ୍କୁ ସମବେଦନା ଜଣାଉଛୁ।

ଡାଟାବେସ୍‌ ଯାଞ୍ଚ କରିବା ପରେ ‘ପିଓର୍‌ ଇଭି’ କହିଛନ୍ତି, ଉକ୍ତ ସ୍କୁଟର୍‌ଟି ତାଙ୍କ ପ୍ରତିଷ୍ଠାନରୁ ଖରିଦ କରାଯାଇ ନାହିଁ କି, ସର୍ଭିସ୍‌ ମଧ୍ୟ କରାଯାଇନାହିଁ। ଏହା ସେକେଣ୍ଡ୍‌ ହ୍ୟାଣ୍ଡ୍‌ ସେଲ୍‌ କି, ଅନ୍ୟ କିଛି ତାହା ଯାଞ୍ଚ କରାଯାଉଛି।

ସୂଚନାଯୋଗ୍ୟ, ଇଲେକ୍ଟ୍ରୋନିକ୍‌ ଯାନବାହନ ପାଇଁ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ ଉକ୍ତ ଗାଡ଼ି ସବୁରେ ବିସ୍ଫୋରଣ ଘଟି ନିଆଁ ଲାଗିବା ଭଳି ଘଟଣା ଘଟିବା ଚିନ୍ତାର କାରଣ ହୋଇଛି।

ଗୁରୁବାର ଦିନ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟ କହିଛନ୍ତି, ଗତ ଦୁଇ ମାସ ହେବ କେତେକ ‘ଇଭି’ଜନିତ ଦୁର୍ଘଟଣା ଖବର ମିଳିଛି। ଏଥିଯୋଗୁଁ କେତେକଙ୍କର ପ୍ରାଣହାନୀ ଘଟିବା ଏବଂ କେତେକ ଆହତ ହୋଇଥିବା ଖବର ବି ଆସିଛି। ଏହା ଅତ୍ୟନ୍ତ ଦୁଃଖଦାୟକ। ବିଶେଷଜ୍ଞ କମିଟିଦ୍ବାରା ‘ଇଭି’ ସମ୍ପୃକ୍ତ ଥିବା ଦୁର୍ଘଟଣା ସବୁର ଯାଞ୍ଚ କରାଯିବ। ଏଥିପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଜରମାନା ଏବଂ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର