ନୂଆଦିଲ୍ଲୀ: ଆଜି ଅପରାହ୍ନ ୧୨.୪୫ରୁ ହ୍ବାଟ୍‌ସଆପ୍‌ ପୂରାପୂରି ବନ୍ଦ ହୋଇଯାଇଥିଲା। ଏ ନେଇ ଅନେକ ବ୍ୟବହାରକାରୀ ଟ୍ବିଟର୍‌ରେ ସେମାନଙ୍କ ହ୍ବାଟ୍‌ସଆପ୍‌ ଡାଉନ୍‌ ହୋଇଥିବା କଥା ପୋଷ୍ଟ୍‌ କରିଥିଲେ। ଅଧିକାଂଶ ବ୍ୟବହାରକାରୀଙ୍କ ୱେବ୍‌ ହ୍ବାଟସ୍‌ଆପ୍‌ ପୂରାପୂରି ବନ୍ଦ ହୋଇଯାଇଥିଲା। ଅନ୍ୟ କିଛି ବ୍ୟବହାରକାରୀ ହ୍ବାଟ୍‌ସଆପ୍‌ ଖୋଲି ପାରୁଥିଲେ ବି ଫଟୋ କି କୌଣସି ଫାଇଲ୍‌ ପଠାଇ ପାରୁନଥିଲେ। ତେବେ ଦୁଇ ଘଣ୍ଟା ପରେ ହ୍ଵାଟ୍ସଆପ ସେବା ସ୍ୱାଭାବିକ ହୋଇଥିଲା | ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ପ୍ରାୟ ଦୁଇ ଘଣ୍ଟା ଧରି ଦୁନିଆରେ ସର୍ବାଧିକ ବ୍ୟବହୃତ ମେସେଜିଂ ଆପ୍ ବନ୍ଦ ହେତୁ ଉପଭୋକ୍ତାଙ୍କ ଉପରେ କଣ ପ୍ରଭାବ ପଡିଥିଲା ଓ କମ୍ପାନିକୁ ଏହାଦ୍ୱାରା କେତେ କ୍ଷତି ସହିବାକୁ ପଡିଥିଲା |

Advertisment

ମିଳିଥିବା ସୂଚନା ମୁତାବକ ୧୦ ବର୍ଷ ପୂର୍ବେ ଜନ୍ମହୋଇଥିବା ଏହି ଆପର ବର୍ତ୍ତମାନ ସାରା ବିଶ୍ୱରେ ୨ ବିଲିୟନ ବା ୨୦୦ କୋଟି ଉପଭୋକ୍ତା ଅଛନ୍ତି | ହ୍ଵାଟ୍ସଆପ ଦୁନିଆର ସର୍ବାଧିକ ବ୍ୟବହୃତ ମୋବାଇଲ୍ ମେସେଞ୍ଜର ଆପ୍ ଭାବରେ ଜଣାଶୁଣା | ୧୮୦ଟି ଦେଶରେ ବ୍ୟବହୃତ ଏହି ଆପରେ ପ୍ରତିଦିନ ୧୦୦ ବିଲିୟନରୁ ଅଧିକ ମେସେଜ ପଠାଯାଏ | ଆପ୍ ଆନି ଡାଟା ଅନୁଯାୟୀ, ଜଣେ ଉପଭୋକ୍ତା ଦିନରେ ଅତି କମରେ ୩୮ ମିନିଟ୍ ପାଇଁ ଏହି ଆପ୍ ବ୍ୟବହାର କରନ୍ତି ଏବଂ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ ମାସକରେ ୩୯ କୋଟି ଉପଭୋକ୍ତା ଏହି ଆପକୁ ବ୍ୟବହାର କରନ୍ତି | ହ୍ଵାଟ୍ସଆପର ସିଇଓ ୱିଲ୍ କ୍ୟାଥକାର୍ଟଙ୍କ ଏକ ଟ୍ୱିଟ୍ ଅନୁଯାୟୀ ହ୍ଵାଟ୍ସଆପରେ ପ୍ରତିଦିନ ପ୍ରାୟ ୧୦୦ ବିଲିୟନରୁ ଅଧିକ ବାର୍ତ୍ତା ପଠାଯାଏ। ଯାହାର ଅର୍ଥ ହେଉଛି ଦୁଇ ଘଣ୍ଟା ମଧ୍ୟରେ ସାରା ବିଶ୍ୱରେ ୮ ବିଲିୟନ ବା ୮୦୦ କୋଟି ମେସେଜ ପଠାଯାଏ |

ଆଉ ଏହି ଆପ ଦୁଇ ଘଣ୍ଟା ଧରି ବନ୍ଦ ରହିବା କାରଣରୁ ପ୍ରାୟ ୮୦୦ କୋଟି ମେସେଜ ପଠାଇବା ସମ୍ଭବ ହୋଇପାରିନଥିଲା | ଆଜି, ହ୍ଵାଟ୍ସଆପ ବନ୍ଦ ହେବା ଖବର ଆସିବା ମାତ୍ରେ ଲୋକମାନେ ଟ୍ୱିଟର ଭଳି ଅନ୍ୟ ସାମାଜିକ ପ୍ଲାଟଫର୍ମକୁ ବହୁଳ ବ୍ୟବହାର କରିଥିଲେ | ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଯେତେବେଳେ ବି ହ୍ଵାଟ୍ସଆପ କିମ୍ବା ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ଡାଉନ୍ ହୋଇଯାଏ, ସେତେବେଳେ ଟ୍ୱିଟରର ବ୍ୟବହାର ସାଧାରଣ ଦିନ ଅପେକ୍ଷା ବହୁତ ଅଧିକ ବଢ଼ିଯାଇଥାଏ | ଏହା ବ୍ୟତୀତ ବିଜ୍ଞାପନକୁ ନେଇ କାର୍ଯ୍ୟ କରୁଥିବା ଫାର୍ମ ଷ୍ଟାଣ୍ଡାର୍ଡ ମିଡିଆ ଇଣ୍ଡେକ୍ସ କହିଛି ଯେ ଯଦି ହ୍ଵାଟ୍ସଆପ ଡାଉନ ହୋଇଯାଏ, ତେବେ କମ୍ପାନି ପ୍ରତି ଘଣ୍ଟାରେ ପ୍ରାୟ ୫.୪୫ ମିଲିୟନ ଡଲାର ହରାଇଥାଏ । ଏହାକୁ ହିସାବ କଲେ ହ୍ଵାଟ୍ସଆପ ପ୍ରାୟ ୬୬ କୋଟି ଟଙ୍କାର କ୍ଷତି ସହିଛି | ହ୍ଵାଟ୍ସଆପ ବନ୍ଦ ହେବା ପରେ ଆଇଟି ମନ୍ତ୍ରଣାଳୟ ଏହାର କମ୍ପାନି ମେଟା ଠାରୁ ଏକ ରିପୋର୍ଟ ମାଗିଛି।