ସିଓଲ୍‌: ସୁନା ପରି ଝଟକୁ ଥିବା ଦକ୍ଷିଣ କୋରିଆରେ ଥିବା ଗୋଟାଏ ୮୦୦ ବର୍ଷ ପୁରାତନ ଝଙ୍କା ‘ଗିଙ୍କୋ’ ଗଛ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

Advertisment

ସଂଗୃହୀତ ସୂଚନା ଅନୁସାରେ, ଦକ୍ଷିଣ କୋରିଆରେ ‘ଗିଙ୍କୋ’ ଗ‌ୋଟାଏ ସାଧାରଣ ଗଛ। ସମଗ୍ର ଦକ୍ଷିଣ କୋରିଆରେ ଅନେକ ଐତିହାସିକ ଓ ପ୍ରଖ୍ୟାତ ‘ଗିଙ୍କୋ’ ଗଛ ରହିଛି।

କିନ୍ତୁ, ସୁନା ପରି ଝଲସୁ ଥିବା ଏହି  ‘ଗିଙ୍କୋ’ ଗଛ ଚାରିପଟେ ବହୁସଂଖ୍ୟକ ଲୋକ ଏକତ୍ର ହେଉଥିବା ଭାଇରାଲ୍‌ ଭିଡିଓରେ ଦେଖାଯାଉଛି। ଦକ୍ଷିଣ କୋରିଆ ୱେବ୍‌ସାଇଟ୍‌ଗୁଡ଼ିକରେ ଉଲ୍ଲେଖ ଅଛି ଯେ, ଏହି ବୃକ୍ଷଟି ଦେଶର ଜାତୀୟ ସ୍ମାରକୀ ଏବଂ ଅନେକ ଲୋକ ଏହାକୁ ଦେଖିବାକୁ ଆସୁଛନ୍ତି।

publive-image Image Grabbed from Video

ୱଙ୍‌ଜୁ ବାଙ୍ଗିୟେ-ରି‌’ଠାରେ ଥିବା ଏହି ‘ଗିଙ୍କୋ’ ଗଛଟି ୧୭ ମିଟର୍‌ ବ୍ୟାସବିଶିଷ୍ଟ ତା’ର ବିଶାଳ ଝଙ୍କା ପାଇଁ ବିଖ୍ୟାତ। ଗଛଟି ଯେଉଁ ପ୍ରକାର ଶାଖାପ୍ରଶାଖା ମେଲିଛି ତାହା ବିଶ୍ବର ଯେକୌଣସି ଗଛ ଅପେକ୍ଷା ଢେର୍‌ ସୁନ୍ଦର। ଅନେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଏହାକୁ ‘ବିଶ୍ବର ସବୁଠୁ ସୁନ୍ଦର ବୃକ୍ଷ’ ବୋଲି କହୁଛନ୍ତି।

ଏ ଗଛର ଜନ୍ମ ସମ୍ବନ୍ଧରେ ‘କୋରିଆ ଜୁଙ୍ଗ୍‌ଆଙ୍ଗ୍‌ ଡେଲି’ ସମ୍ବାଦପତ୍ର ଜନଶ୍ରୁତି ଉପରେ ଆଧାରିତ ଦୁଇଟି କିଂବଦନ୍ତୀ ପ୍ରକାଶ କରିଛି। ଗୋଟିଏ କାହାଣୀରେ କୁହାଯାଇଛି, ଏହି ଗଛଟି ସିଲ୍ଲା ରାଜବଂଶ ସମୟରେ (ଖ୍ରୀଷ୍ଟପୂର୍ବ ୫୭-୯୩୫ ଖ୍ରୀଷ୍ଟାବ୍ଦ) ଅଙ୍କୁରିତ ହୋଇଥିଲା। ଅନ୍ୟ କାହାଣୀରେ ଲେଖା ଅଛି, ‌ଯୋଗୀ ହେବା ପାଇଁ କୁମ୍‌ଗାଙ୍ଗ୍‌ ପର୍ବତ ଶୃଙ୍ଗକୁ ଯିବା ବାଟରେ ସିଲ୍ଲା ରାଜବଂଶର ଶେଷ ରାଜା ଯୁବରାଜ ମାଉଇ ଏହି ବୃକ୍ଷଟିକୁ ରୋପଣ କରିଥିଲେ।

ଏହି ବୃକ୍ଷ ଉପରେ ଏକାଧିକ ପୁସ୍ତକ ରଚନା କରିଥିବା ଲେଖକ ଗୋହ୍‌ କ୍ୟୁ-ହଙ୍ଗ୍‌ଙ୍କ କଥାରୁ ଉଦ୍ଧାର କରି ‘କୋରିଆ ଜୁଙ୍ଗ୍‌ଆଙ୍ଗ୍‌ ଡେଲି’ ଲେଖିଛି, କୌଣସି ଲିଖିତ ରିପୋର୍ଟ ନ ଥିଲେ ମଧ୍ୟ ବିଶେଷଜ୍ଞମାନେ ଏହି ଗଛର ବୃଦ୍ଧି ପରୀକ୍ଷା କରି ତାହା ୧,୧୦୦ ବର୍ଷ ପୁରାତନ ବୋଲି ମତ ଦେଉଛନ୍ତି।

ଜୋସେଓନ୍‌ ରାଜବଂଶ ଶାସନ କାଳରେ (୧୩୯୨-୧୯୧୦) ଏହି ଗଛ ସରକାରୀ ମାନ୍ୟତା ପାଇଥି‌ଲା ବୋଲି ମଧ୍ୟ ଅନେକ କହନ୍ତି।