ଗୋଳାବାରୁଦ କାରଖାନାରେ ୮୦,୦୦୦ ପଦ ଖାଲି

ବେଙ୍ଗାଳୁରୁ: ପଡୋଶୀ ଦେଶମାନେ ଭାରତ ପାଇଁ ଦିନକୁ ଦିନ ବିପଦ ସୃଷ୍ଟି କରୁଥିବା ବେଳେ ଦେଶ ଏହାକୁ ପ୍ରତିହତ କରିବା ପାଇଁ ଯେଉଁ ସବୁ ସାମଗ୍ରୀର ଆବଶ୍ୟକତା ରହିଛି ସେଥି ମଧ୍ୟରେ ଗୋଳାବାରୁଦ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ଏଥି ନିମନ୍ତେ ସରକାର ଉଦାସୀନ ଥିବା ପରିଲକ୍ଷିତ ହୋଇଛି। ଦେଶରେ ଥିବା ଗୋଳାବାରୁଦ କାରଖାନାଗୁଡିକରେ ୮୦ ହଜାରରୁ ଅଧିକ ପଦ ଖାଲି ଥିବା ଜଣାପଡିଛି। ପ୍ରତିରକ୍ଷା ସମ୍ବଧୀୟ ସଂସଦର ସ୍ଥାୟୀ କମିଟିର ତଥ୍ୟ ଅନୁଯାୟୀ, ୨୦୧୭ରେ ଦେଶରେ ଥିବା ମୋଟ ୪୧ଟି ଗୋଳାବାରୁଦ କାରଖାନାରେ ୭୮,୪୫୨ ପଦ ଖାଲି ଅଛି। ତେବେ ଗୋଳାବାରୁଦ କାରଖାନାର କର୍ମଚାରୀ ସଂଘର ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ଚଳିତ ବର୍ଷ ଆହୁରି ବଢିଯାଇଛି। କର୍ମଚାରୀ ସଂଘ ଦାବି କରିଛି ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ୮୧,୧୬୪ ପଦ ଖାଲି ଅଛି।
ସୂଚନା ଅନୁଯାୟୀ, ଦେଶର ଗୋଳାବାରୁଦ କାରଖାନାଗୁଡିକରେ ୧.୪୫ ଲକ୍ଷ ସ୍ୱୀକୃତିପ୍ରାପ୍ତ ପଦ ଥିବା ବେଳେ ସେଥିମଧ୍ୟରୁ ପ୍ରାୟ ୫୬ ପ୍ରତିଶତ ପଦରେ ନିଯୁକ୍ତି ଦିଆଯାଇନଥିବା କର୍ମଚାରୀ ସଂଘ ତରଫରୁ କୁହାଯାଇଛି। ପ୍ରତିରକ୍ଷା କର୍ମଚାରୀ ସଂଘ (ଏଆଇଡିଇଏଫ୍‌) ସାଧାରଣ ସମ୍ପାଦକ ସି ଶ୍ରୀକୁମାର କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟ ଯାହା ତଥ୍ୟ ଦେଇଛି ସେଥିରୁ ସ୍ପଷ୍ଟ ଜଣାପଡୁଛି, ଗୋଳାବାରୁଦ କାରଖାନାଗୁଡିକର ସ୍ଥିତି ଭଲ ନାହିଁ। ଖାଲି ପଡିଥିବା ପଦଗୁଡିକ ପୂରଣ କରିବା ପାଇଁ ସଂଘ ତରଫରୁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କିଛି କରାଯାଉନାହିଁ। ନିର୍ଦିଷ୍ଟ ଭାବେ ଗ୍ରୁପ ସି ଏବଂ ଗ୍ରୁପ ଡି କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଦାବି କରାଯାଉଛି। ଦୁଇ ଜଣଙ୍କ କାର୍ଯ୍ୟ ଜଣେ କେମିତି କରିବ ବୋଲି ଶ୍ରୀକୁମାର ପ୍ରଶ୍ନ କରି ଚିନ୍ତା ପ୍ରକଟ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଏନେଇ ଅନେକ ଇମେଲ୍‌ ଏବଂ ଫୋନ୍‌ କରାଯାଇଥିଲେ ମଧ୍ୟ ପ୍ରତିରକ୍ଷା ସଚିବ ଅଜିତ କୁମାର କିଛି ଉତ୍ତର ଦେଉନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଖାଲି ପଡିଥିବା ପଦଗୁଡିକ ମଧ୍ୟରେ ଅଧିକାଂଶ ବୈଷୟିକ ବା ଯାନ୍ତ୍ରିକ ଥିବା ଜଣାପଡିଛି। ଫଳରେ ଅର୍ଡିନାନ୍ସ୍‌ ଫ୍ୟାକ୍ଟରୀ ବୋର୍ଡ ଦ୍ୱରା ସେନାକୁ ନିମ୍ନମାନର ଗୋଳାବାରୁଦ ଯୋଗାଯାଉଛି। ଏଥିଯୋଗୁଁ ଅନେକ ଦୁର୍ଘଟଣା ଘଟୁଛି ଜାହାରୀ ଫଳରେ ଅନେକଙ୍କ ପ୍ରାଣହାନି ଘଟିବା ସହ ଆହତଙ୍କ ସଂଖ୍ୟା ମଧ୍ୟ ବହୁଗୁଣରେ ବଢୁଛି ବୋଲି ସେନା ତରଫରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର