ପ୍ରତିରକ୍ଷା ବାହିନୀରେ ଗତ ୫ ବର୍ଷରେ ୮୧୯ ଜଣ ସୈନିକ ଆତ୍ମହତ୍ୟା କରିଛନ୍ତି

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ବାହିନୀ ( ସେନା, ବାୟୁସେନା ଓ ନୌସେନା) ରେ ଗତ ୫ ବର୍ଷରେ ୮୧୯ ଜଣ ସୈନିକ ଓ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ସବୁଠାରୁ ଅଧିକ ଆତ୍ମହତ୍ୟା ମାମଲା ଭାରତୀୟ ସେନାରେ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ ।

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି ଭଟ୍ଟ କହିଛନ୍ତି ଯେ ଭାରତୀୟ ସେନାରେ ଗତ ୫ ବର୍ଷରେ ୬୪୨ ଜଣ ସୈନ୍ୟ ଆତ୍ମହତ୍ୟା କରିଛନ୍ତି । ସେହିପରି ବାୟୁସେନାରେ ୧୪୮ ଜଣ ସୈନିକ ଆତ୍ମହତ୍ୟା କରିଛନ୍ତି । ତେବେ ନୌସେନାରେ ସବୁଠାରୁ କମ ୨୯ ଜଣ ଆତ୍ମହତ୍ୟା କରିଛନ୍ତି ।

ସେ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀର କର୍ମଚାରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତାକୁ କମାଇବାକୁ ଗତ ୨୦୦୯ରୁ ବିଭିନ୍ନ ପ୍ରକାରର ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଉଛି ।

ସେହିପରି ଅବସାଦ ଓ ମାନସିକ ଚାପରେ ଥିବା ସୈନିକ ଓ କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏକ ଗବେଷଣା ଅନୁସାରେ ପ୍ରତିରକ୍ଷା ବାହିନୀରେ ଆତ୍ମହତ୍ୟା ପ୍ରବଣତା ବଢିବାର ପ୍ରମୁଖ କାରଣ ଭାବେ ଦୁର୍ଗମ ସ୍ଥାନରେ ମୁତୟନ, ପରିବାରଠାରୁ ଦୂରରେ ରହିବା, ଛୁଟି ନମିଳିବା ଆଦିକୁ ଦାୟୀ କରା କରାଯାଉଛି ।

ସମ୍ବନ୍ଧିତ ଖବର