୨୦୨୦ରେ ଭାରତରେ ୮୨ ଲକ୍ଷ ମୃତ୍ୟୁ; କୋଭିଡ୍‌ ଯୋଗୁଁ  ପ୍ରାଣ ହରାଇଛନ୍ତି ୧.୪୮ ଲକ୍ଷ ଜନତା

ନୂଆଦିଲ୍ଲୀ: ୨୦୨୦ରେ ଭାରତରେ ପ୍ରାୟ ୮୧.୨ ଲକ୍ଷ ଜନତାଙ୍କ ମୃତ୍ୟୁ ଘଟିଛି ଏବଂ ସେଥିରୁ ୧.୪୮ ଲକ୍ଷ ଜନତା କୋଭିଡ୍‌-୧୯ ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା କଥା ‘ରେଜିଷ୍ଟ୍ରାର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ ପ୍ରସ୍ତୁତ କରିଥିବା ‘ଡାଟା’ରୁ ଜଣାପଡ଼ିଛି।

ଏହି ତଥ୍ୟ ଅନୁସାରେ, ୨୦୧୯ ତୁଳନାରେ ଗତବର୍ଷ ମୃତ୍ୟୁ ସଂଖ୍ୟା ୬.୨% ଅଧିକ ହୋଇଛି। ୨୦୧୯ରେ ଭାରତରେ ୭୬.୪ ଲକ୍ଷ ଜନତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ, ୨୦୨୧ରେ କୋଭିଡ୍‌ ଯୋଗୁଁ ୩.୩୨ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି।

ମଙ୍ଗଳବାର ସକାଳ ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୋଗାଇ ଦେଇଥିବା ତଥ୍ୟ ଅନୁସାରେ, ୨୦୨୦ ପ୍ରାରମ୍ଭରୁ ଏଯାବତ୍‌ କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ୫,୨୩,୮୮୯ଜଣ ଲୋକଙ୍କର ମୃତ୍ୟୁ ଘଟିଲାଣି।

Image Courtesy of NDTV

ମହାରାଷ୍ଟ୍ର, ବିହାର, ଗୁଜରାଟ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ ଏବଂ ହରିୟାଣା ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୧୯ ରୁ ୨୦୨୦ ମଧ୍ୟରେ ଉଲ୍ଲେଖଯୋଗ୍ୟ ସଂଖ୍ୟକ ମୃତ୍ୟୁ ପଞ୍ଜିକୃତ ହୋଇଛି। କୋଭିଡ୍‌-୧୯ ଯୋଗୁଁ ଉପରୋକ୍ତ ପ୍ରଦେଶଗୁଡ଼ିକରେ ଅଧିକାଂଶ ମୃତ୍ୟୁ ଘଟିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ୨୦୧୯ରେ ୨.୪୮ କୋଟି ଜନ୍ମ ପଞ୍ଜିକୃତ ହୋଇଥିବା ବେଳେ ୨୦୨୦ରେ ୨.୪୨ କୋଟି ଜନ୍ମ ପଞ୍ଜିକରଣ କରାଯାଇଛି। ଅର୍ଥାତ୍ ୨୦୧୯ ତୁଳନାରେ ୨୦୨୦ରେ ଜନ୍ମ ପଞ୍ଜିକରଣ ୨.୪% ହ୍ରାସ ପାଇଛି।

୨୦୧୯ ତୁଳନାରେ ୨୦୨୦ରେ ବିହାର, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ସିକ୍କିମ୍‌, ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ, ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ବାଦ ଦେଇ ପ୍ରାୟ ସବୁ ପ୍ରଦେଶରେ ଜନ୍ମ ପଞ୍ଜିକରଣ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର