ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି ୮୨ ପୂର୍ବତନ ଏମ୍‌ପି

ନୂଆଦିଲ୍ଲୀ: ଲୋକସଭା କମିଟିର ଚେତାବନୀ ସତ୍ତ୍ବେ ଏପର୍ଯ୍ୟନ୍ତ ୮୨ ଜଣ ପୂର୍ବତନ ‌ଏମ୍‌ପି ଦିଲ୍ଲୀରେ ସରକାରୀ ବଙ୍ଗଳା ଖାଲି କରିନାହାନ୍ତି। ସରକାର ଏହି ପୂର୍ବତନ ଏମ୍‌ପିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚିନ୍ତା କରୁଛନ୍ତି। ସରକାରୀ ପ୍ରତିଷ୍ଠାନ (ବାସ କରୁଥିବା ଅଣଅଧିକୃତ ବ୍ୟକ୍ତି) ଆଇନ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇପାରେ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧୯ ତାରିଖରେ ‌ସି. ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକସଭାର ଏକ କମିଟି ପୂର୍ବତନ ଏମ୍‌ପିମାନଙ୍କୁ ବଙ୍ଗଳା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ସେହି ସମୟରେ ୨୦୦ରୁ ଅଧିକ ସଂଖ୍ୟକ ପୂର୍ବତନ ଏମ୍‌ପି ସରକାରୀ ବଙ୍ଗଳାରେ ରହୁଥିଲେ। କିନ୍ତୁ କମିଟିର ନିର୍ଦ୍ଦେଶ ସତ୍ତ୍ବେ ଏପର୍ଯ୍ୟନ୍ତ ୮୨ ଜଣ ପୂର୍ବତନ ଏମପି ସରକାରୀ ବଙ୍ଗଳା ଛାଡ଼ିନାହାନ୍ତି। ଲୋକସଭାର ହାଉସିଂ କମିଟି ଏ ବିଷୟ ଜାଣିବା ପରେ କହିଛି, ଏହା ଗ୍ରହଣଯୋଗ୍ୟ ନୁହେଁ। ଏସବୁ ପୂର୍ବତନ ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ବିଦା କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ସଂପୃକ୍ତ ପୂର୍ବତନ ଏମପିମାନଙ୍କ ବଙ୍ଗଳାରୁ ବିଜୁଳି, ପାଣି ଏବଂ ରନ୍ଧନ ଗ୍ୟାସ୍ ସଂଯୋଗ କାଟି ଦିଆଯିବ ବୋଲି କୁହାଯାଉଛି। ନିୟମ ଅନୁଯାୟୀ ଲୋକସଭା ଭଙ୍ଗ ହେବାର ମାସକ ମଧ୍ୟରେ ପୂର୍ବତନ ଏମପିମାନଙ୍କୁ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ଗତ ମେ ମାସ ୨୫ ତାରିଖରେ ଦ୍ବିତୀୟ ଥର ପାଇଁ ମୋଦୀ ସରକାର ଗଠନ ହେବା ପରେ କେନ୍ଦ୍ର କ୍ୟାବିନେଟର ସୁପାରିସକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଷୋଡ଼ଶ ଲୋକସଭାକୁ ସେହିଦିନ ଭଙ୍ଗ କରିଥିଲେ। ପୂର୍ବତନ ଏମ୍‌ପିମାନେ ବଙ୍ଗଳା ଛାଡ଼ୁ ନଥିବାରୁ ନୂଆକରି ସପ୍ତଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା କେତେକ ନୂଆ ସାଂସଦ ବଙ୍ଗଳା ନପାଇ ଅସ୍ଥାୟୀ ଭାବେ ବିଭିନ୍ନ ସ୍ଥାନରେ ରହୁଛନ୍ତି।

ସମ୍ବନ୍ଧିତ ଖବର