୮୨% କର୍ମଚାରୀ କାର୍ଯ୍ୟସ୍ଥଳ ଯାଇପାରିନାହାନ୍ତି

ନୂଆଦିଲ୍ଲୀ: ମହାମାରୀ କରୋନାଭୂତାଣୁର ଉପଦ୍ରବ ପରିପ୍ରେକ୍ଷୀରେ ଯେଉଁ ଭାରତୀୟମାନେ ଘରେ ରହି ଆନୁଷ୍ଠାନିକ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ, ସେମାନଙ୍କ ଭିତରୁ ଅଧିକାଂଶ ନିଜ କର୍ମସ୍ଥଳୀକୁ ଯିବାରୁ ବଞ୍ଚିତ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାଯାଇଛି। ଗୃହନିର୍ମାଣ ପରାମର୍ଶଦାତା କମ୍ପାନି ଏଜଏଲ୍‌ଏସ୍‌ ଦ୍ବାରା କରାଯାଇଥିବା ‘ହୋମ୍‌ ଆଣ୍ଡ୍‌ ଆୱେ: ଦି ନିଉ ଵାର୍କପ୍ଲେସ୍‌?’ ନାମକ ଏସୀୟ-ପ୍ରଶାନ୍ତମହାସାଗରୀୟ ସର୍ବେକ୍ଷଣର ତଥ୍ୟ ମୁତାବକ, ଭାରତୀୟ କର୍ମଚାରୀମାନଙ୍କ ମଧ୍ୟରୁ ୮୨ ପ୍ରତିଶତ କର୍ମଚାରୀ ନିଜ କାର୍ଯ୍ୟାଳୟରେ ପାରସ୍ପରିକ ଭାବ ବିନିମୟ ଅଭାବରୁ ଠିକ୍‌ରେ କାମ କରିପାରୁନାହାନ୍ତି ବୋଲି କହିଛନ୍ତି। ସୂଚନା ଥାଉ କି, କୋଭିଡ୍‌ ସଂକ୍ରମଣର ଭୟାବହତା ମଧ୍ୟରେ ଏସୀୟ-ପ୍ରଶାନ୍ତମହାସାଗରୀୟ ଅଞ୍ଚଳର ୫ଟି ଦେଶରେ ହାରାହାରି ୬୮ ପ୍ରତିଶତ କର୍ମଚାରୀ ଘରେ ରହି କାମ କରୁଥିବା ଜଣାଯାଇଛି।

ସେମାନଙ୍କ ଭିତରେ ସିଙ୍ଗାପୁରରେ ହିଁ ସର୍ବାଧିକ ୮୧ ପ୍ରତିଶତ କର୍ମଚାରୀ ଘରେ ରହି କାମ କରୁଥିଲେ। ସେହିପରି ଘରେ ରହି ଆନୁଷ୍ଠାନିକ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଭିତରୁ ୬୧ ପ୍ରତିଶତ କାର୍ଯ୍ୟାଳୟ ଯିବାରୁ ବଞ୍ଚିତ ହୋଇଥିବା କହିଛନ୍ତି। ତେବେ ଏହି ସଂଖ୍ୟା ଭାରତୀୟଙ୍କ କ୍ଷେତ୍ରରେ ସର୍ବାଧିକ ୮୨ ପ୍ରତିଶତ ରହିଥିବା ଜଣାଯାଇଛି। ସେଠାରେ କାର୍ଯ୍ୟାଳୟର ମାନବୀୟ ଦୃଷ୍ଟିକୋଣ ହିଁ ସବୁଠୁ ବେଶୀ ଆଘାତପ୍ରାପ୍ତ ହୋଇଥିବା ଜଣାଯାଇଛି। ବିଶେଷ କରି ଅନ୍ୟମାନଙ୍କ ସହ ଭାବ ବିନିମୟ ଓ ମିଳାମିଶା ଅଭାବ କାରଣରୁ ଅଧିକାଂଶ କର୍ମଚାରୀ ଏପରି କାର୍ଯ୍ୟାଳୟ ଯାଉନାହାନ୍ତି ବୋଲି କହିଛନ୍ତି। ସେହିପରି ଅନେକ କର୍ମଚାରୀ ମଧ୍ୟ ଦୈନନ୍ଦିନ ନିୟମିତ କାର୍ଯ୍ୟଶୈଳୀରୁ ବଞ୍ଚିତ ବୋଲି କହିଛନ୍ତି। ସର୍ବେକ୍ଷଣରେ ସାମିଲ ହୋଇଥିବା ଭାରତ, ସିଙ୍ଗାପୁର ସମେତ ୫ଟି ଦେଶର ୧୫୦୦ କର୍ମଚାରୀଙ୍କ ଠାରୁ ମିଲିଥିବା ମତାମତରୁ ଏଭଳି ତଥ୍ୟ ମିଳିଛି।

ସମ୍ବନ୍ଧିତ ଖବର