ଆଉ ଜଣେ ମାଁଝି : ବୟସ ୮୨, ଖୋଳିଲେ ୧୪ ପୋଖରୀ

ମାଣ୍ଡ୍ୟା: ବିହାରର ଦଶରଥ ମାଁଝି ୨୨ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ପାହାଡ଼ କାଟି ରାସ୍ତା ତିଆରି କରିଥିଲେ। ସେବେଠୁ ତାଙ୍କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ଏମିତି କି ତାଙ୍କ ଜୀବନୀକୁ ନେଇ ‘ମାଁଝି: ଦ ମାଉଣ୍ଟେନ୍‌ ମ୍ୟାନ୍‌’ ନାମରେ ଏକ ଚଳଚ୍ଚିତ୍ର ବି ନିର୍ମାଣ ହୋଇଥିଲା। ଏବେ ଆଉ ଜଣେ ମାଁଝି ସାମ୍ନାକୁ ଆସିଛନ୍ତି। ତେବେ ସେ ପାହାଡ଼ ନୁହେଁ, ବରଂ ୧୪ଟି ପୋଖରୀ ଖୋଳିଛନ୍ତି। କର୍ଣ୍ଣାଟକର ମାଣ୍ଡ୍ୟା ନିବାସୀ ଏହି ବ୍ୟକ୍ତି ଜଣକ ହେଉଛନ୍ତି କେରେ କାମେଗୌଡ଼ା। ୮୨ ବର୍ଷୀୟ କାମେଗୌଡ଼ା ଏକାକୀ ୧୪ଟି ଛୋଟବଡ଼ ପୋଖରୀ ଖୋଳି ସ୍ଥାନୀୟ ତଥା ସେହି ବାଟ ଦେଇ ଯାଉଥିବା ଅନେକ ଲୋକଙ୍କ ପାଇଁ କିମ୍ବଦନ୍ତୀ ପୁରୁଷ ସାଜିଛନ୍ତି। ବେଙ୍ଗାଲୁରୁ-ମହାବଳୀ-କୋଲେଗଲ ରାସ୍ତାରେ ଏବେ ଯେ କେହି ଯାଛଉନ୍ତି, କାମେଗୌଡ଼ାଙ୍କ କଥା ଶୁଣିବାକୁ ପାଉଛନ୍ତି। ଜିଲ୍ଲାର ଡାସନାଡୋଡିରେ ଏବେ କାମେଗୌଡ଼ା ନିଜ ପରିବାର ସହିତ କୁଡ଼ିଆଘରେ ବାସ କରୁଛନ୍ତି। କାମେଗୌଡ଼ା ସ୍ଥାନୀୟ କୁନ୍ଦିନିବେଟା ଗ୍ରାମ ନିକଟବର୍ତ୍ତୀ ଇଲାକାରେ ଛେଳି ଚରାଇଥାନ୍ତି। ଅଧିକାଂଶ ସମୟରେ ସେ ପରିବେଶ ସୁରକ୍ଷା କଥା ଚିନ୍ତା କରିଥାନ୍ତି। ତେଣୁ ନିୟମିତ ଭାବେ ଛେଳି ଚରାଇବା ସମୟରେ ସେ ଗଛ ଲଗାଇବାରେ ଓ ପୋଖରୀ ଖୋଳିବାରେ ସମୟ ବିତାଇଥାନ୍ତି। ଏ ପର୍ଯ୍ୟନ୍ତ ମୋଟ ୧୪ଟି ପୋଖରୀ ଖୋଳଥିବା କାମେଗୌଡ଼ା ୨୦୧୭ରେ ଏକାଥରେ ୬ଟି ପୋଖରୀ ଖୋଳିଥିଲେ।

ସମ୍ବନ୍ଧିତ ଖବର