ନୂଆଦିଲ୍ଲୀ, ୨୪/୧୦: ଦେଶ ଟିକାକରଣ କ୍ଷେତ୍ରରେ ନିକଟରେ ୧୦୦ କୋଟିର ମାଇଲଖୁଣ୍ଟ ହାସଲ କରିଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାସ୍ଥ୍ୟକର୍ମୀଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି। ୧୦୦ କୋଟି ଟିକାକରଣ କରି ଭାରତ ଏହାର କ୍ଷମତାର ପ୍ରଦର୍ଶନ କରିଛି। ଏହି ମାଇଲଖୁଣ୍ଟ ହାସଲ ପରେ ଦେଶ ନୂଆ ଶକ୍ତି ଏବଂ ଉତ୍ସାହର ସହିତ ଆଗକୁ ବଢ଼ୁଛି। ଲୋକଙ୍କୁ ଟିକାଦେବା କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀମାନେ କୌଣସି ଉଦ୍ୟମକୁ ହାତଛଡ଼ା କରି ନାହାନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ର ୮୨ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି, ସବୁ ପ୍ରକାର ଆବଶ୍ୟକତା ପାଇଁ ଦେଶରେ ଖୁବ୍‌ଶୀଘ୍ର ଡ୍ରୋନ୍‌ ବ୍ୟବହାର କରାଯିବ। ସାମଗ୍ରୀ ପରିବହନ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ସହାୟତା କିମ୍ବା ଆଇନ ଶୃଙ୍ଖଳା ସ୍ଥିତି ଉପରେ ନଜର ଆଦି କାର୍ଯ୍ୟ ଡ୍ରୋନ ମାଧ୍ୟମରେ କରାଯିବ। ଆସନ୍ତା ରବିବାର, ଅକ୍ଟୋବର ୩୧ ତାରିଖରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ହେବ। ଏହି ଅବସରରେ ସେ ନିଜ ତରଫରୁ ଏବଂ ମନ୍‌ କୀ ବାତ୍‌ର ପ୍ରତ୍ୟେକ ଶ୍ରୋତାଙ୍କ ପକ୍ଷରୁ ଲୌହମାନବଙ୍କୁ ପ୍ରଣାମ ଜଣାଇଛନ୍ତି।
ଭାରତୀୟ ସେନାରେ ଅଧିକ ମହିଳାଙ୍କ ଯୋଗଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସୁରକ୍ଷା ବଳ ସହିତ ସେନାରେ ମହିଳାଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି। ବିଭିନ୍ନ କ୍ଷେତ୍ରରେ ମହିଳାମାନେ ସେମାନଙ୍କ ଦକ୍ଷତା ପ୍ରତିପାଦିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ବିର୍ସା ମୁଣ୍ଡାଙ୍କ ପାଇଁ ମୁଁ ପ୍ରକୃତି ପ୍ରେମରେ ପଡ଼ିଛି: ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କୀ ବାତ୍‌ରେ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କୁ ସ୍ମରଣ କରିଛନ୍ତି। ପ୍ରକୃତି ପ୍ରତି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସେ ମନେ ପକାଇ ଦେଇଛନ୍ତି। ମୋଦୀ କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କୁ ‘ଧର୍‌ତି ଅବା’ ଭାବେ ଜଣାଶୁଣା ଥିଲେ। ଏହାର ଅର୍ଥ ସେ ପୃଥିବୀର ବାପା ଥିଲେ। ସଂସ୍କୃତି, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବିର୍ସା ମୁଣ୍ଡା ଲଢ଼େଇ କରୁଥିଲେ। ଆସନ୍ତାମାସ ୧୫ ତାରିଖରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ହେବ। ବିର୍ସା ମୁଣ୍ଡାଙ୍କ ନିକଟରେ ନତମସ୍ତକ ‌ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିର୍ସା ମୁଣ୍ଡାଙ୍କ ମୂଲ୍ୟବାନ ଯୋଗଦାନ ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରକୃତି ଓ ପରିବେଶ ପ୍ରେମରେ ପକାଇଛି। ବିର୍ସା ମୁଣ୍ଡା ଅନେକଙ୍କ ପାଇଁ ପ୍ରେରଣା ଥିଲେ ବୋଲି ମୋଦୀ କହିଛନ୍ତି।