ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଏନ୍ଟିଏ (ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା ) ଆଜି ସହର ଏବଂ ପରୀକ୍ଷା କେନ୍ଦ୍ର ଭିତ୍ତିରେ ନିଟ୍ ୟୁଜି ପରୀକ୍ଷା ଫଳ ଏହାର ୱେବସାଇଟ୍ରେ ଅପଲୋଡ୍ କରିଥିବା ବେଳେ ଏଥିରୁ କେତେକ ବିସ୍ମୟକାରୀ ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟର ରାଜକୋଟର ଏକ ପରୀକ୍ଷା କେନ୍ଦ୍ର ତଥା ୟୁନିଟ୍ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂରେ ପରୀକ୍ଷା ଦେଇଥିବା ମୋଟ୍ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୫ ପ୍ରତିଶତ ପାସ୍ କରିଛନ୍ତି। ଏହି କେନ୍ଦ୍ରରୁ ୧୨ ଜଣ ୭୦୦ ଉପରେ ନମ୍ବର ରଖିଥିବା ବେଳେ ୧୧୫ ଜଣ ୬୫୦ ଉପରେ ନମ୍ବର ରଖିଛନ୍ତି, ୨୫୯ ଜଣ ୬୦୦ରୁ ଅଧିକ ଏବଂ ୪୦୩ ଜଣ ୫୫୦ରୁ ଅଧିକ ନମ୍ବର ରଖିଛନ୍ତି। ସେହିପରି ବିଦ୍ୟା ଭାରତୀ ସିକର ସେଣ୍ଟରରେ ୮ ଜଣ ୭୦୦ରୁ ଅଧିକ ନମ୍ବର ରଖିଥିବାବେଳେ ୬୯ ଜଣ ୬୫୦ରୁ ଅଧିକ ନମ୍ବର ରଖିଛନ୍ତି। ୧୫୫ ଜଣ ୬୦୦ରୁ ଅଧିକ ଏବଂ ୨୪୧ ଜଣ ୫୦୦ରୁ ଅଧିକ ନମ୍ବର ରଖିଛନ୍ତି। ଏଥିସହ ସିକର ଟେଷ୍ଟ୍ ସେଣ୍ଟରର ୮୩ ଛାତ୍ର ଏବଂ ରୋହତକର ମଡେଲ ସ୍କୁଲ୍ର ୪୫ ଜଣ ୬୦୦ରୁ ଅଧିକ ନମ୍ବର ରଖିଛନ୍ତି।
ନୂଆଦିଲ୍ଲୀ: ଏନଟିଏ ଦ୍ବାରା ଆଜି ଘୋଷଣା ହୋଇଥିବା ନିଟ୍ ପରୀକ୍ଷା ଫଳ ଅନୁଯାୟୀ ହରିୟାଣାର ଯେଉଁ ପରୀକ୍ଷା କେନ୍ଦ୍ରରୁ ୬ ଜଣ ପରୀକ୍ଷାର୍ଥୀ ପୂରା ୭୨୦ରୁ ୭୨୦ ନମ୍ବର ରଖିଥିଲେ ସେମାନଙ୍କର ରିଟେଷ୍ଟ୍ ହେବାପରେ ଭିନ୍ନ ଫଳ ଦେଖିବାକୁ ମିଳିଛି। ହରିୟାଣାର ବାହାଦୁରଗଡ଼ରେ ହରଦୟାଲ ପବ୍ଲିକ୍ ସ୍କୁଲ୍ରେ ୪୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ଜଣେ ହିଁ ୬୮୨ ନମ୍ବର ରଖି ସର୍ବାଧିକ ସ୍କୋର କରିଛନ୍ତି। ଅନ୍ୟପକ୍ଷେ କେବଳ ୧୩ ଜଣଙ୍କର ନମ୍ବର ୬୦୦ ଉପରେ ରହିଛି। ଏହି କେନ୍ଦ୍ରରୁ ୬ ଜଣ ଛାତ୍ର ପୂରା ୭୨୦ରୁ ୭୨୦ ନମ୍ବର ରଖିବା ଦ୍ବାରା ବିବାଦ ଆରମ୍ଭ ହୋଇଥିଲା ଏବଂ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ହୋଇଥିଲା।
ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲେ। କିଛି ପରୀକ୍ଷାର୍ଥୀଙ୍କୁ ଗ୍ରେସମାର୍କ ମିଳିଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ରଦ୍ଦ କରିଦେଇଥିଲେ ଏବଂ ୧୫୬୩ ପରୀକ୍ଷାର୍ଥୀଙ୍କୁ ପୁଣିଥରେ ପରୀକ୍ଷାରେ ବସିବାପାଇଁ କହିଥିଲେ। ଏମାନଙ୍କ ମଧ୍ୟରୁ ୮୦୦ ଜଣ ପୁଣିଥରେ ପରୀକ୍ଷାରେ ବସିଥିଲେ। ଉଲ୍ଲେଖଯୋଗ୍ୟ, ୫୭୧ଟି ସହରର ୪,୭୫୦ କେନ୍ଦ୍ରରେ ଗତ ମେ’ ୫ ତାରିଖରେ ନିଟ୍ ୟୁଜି ପରୀକ୍ଷା ହୋଇଥିଲା। ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସିବିଆଇ ଏହି ମାମଲାର ତଦନ୍ତ କରୁଛି।