ଇରାନରେ ଫସି ରହିଛନ୍ତି ୮୫୦ ଭାରତୀୟ ତୀର୍ଥଯାତ୍ରୀ, ଦୂତାବାସ ଆଗରେ ବିକ୍ଷୋଭ ଆରମ୍ଭ କଲେ

ତେହେରାନ : କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଚୀନ ପରେ ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ରହିଛନ୍ତି ଇଟାଲି ଓ ଇରାନ । ଇରାନରେ ଏବେ ପ୍ରାୟ ୧୦ ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୪୨୯କୁ ବୃଦ୍ଧି ପାଇଛି । ଏହା ମଧ୍ୟରେ ଇରାନକୁ ତୀର୍ଥଯାତ୍ରାରେ ଯାଇଥିବା ପ୍ରାୟ ୮୫୦ ଭାରତୀୟ ସେଠାରେ ଫସିରହିଛନ୍ତି । ପ୍ରାୟ ୧୫ ଦିନ ହେଲା ଏହି ଭାରତୀୟମାନେ ଫସିରହିଥିବାବେଳେ ଭାରତ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇରାନ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଭାରତୀୟମାନେ ଉତ୍ତର-ପୂର୍ବ ଇରାନର ସହର ମସାଦରେ ଥିବା ତୀର୍ଥକ୍ଷେତ୍ର ଇମାମ ରେଜାକୁ ତୀର୍ଥଯାତ୍ରାରେ ଯାଇଥିଲେ । କିନ୍ତୁ ତୀର୍ଥଯାତ୍ରା ଶେଷ ହୋଇଥିବାବେଳେ ସେମାନେ ଗତ ୧୫ ଦିନ ହେଲା ଭାରତ ଫେରିପାରୁନାହାନ୍ତି । ଉଦ୍ଧାର ପାଇଁ ବାରମ୍ବାର ଅନୁରୋଧ ପରେ ଭାରତ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ବିକ୍ଷୋଭ କରିବା ଆରମ୍ଭ କରିଦେଇଛନ୍ତି । ଏହି ୮୫୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ତେହେରାନରେ ଥିବା ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ପାର୍ସୀ, ହିନ୍ଦୀ ଓ ଇଂରାଜୀରେ ପ୍ଲାକାର୍ଡ ଲେଖି ଭାରତୀୟ ଦୂତାବାସ କର୍ମଚାରୀଙ୍କ ଦାୟିତ୍ୱହୀନତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରସଙ୍ଗରେ ଭାରତୀୟ ପ୍ରତିପକ୍ଷଙ୍କୁ ଅବଗତ କରାଯାଇଥିବା ଇରାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର