ନୂଆଦିଲ୍ଲୀ : ଭାରତରେ ଚଳିତ ସପ୍ତାହରେ କରୋନା ସଂକ୍ରମଣର ୮୭ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ହଠାତ୍ ସଂକ୍ରମଣ ବଢ଼ିବା ସହ ନୂଆ ପ୍ରଜାତିର ଅଧିକ ସଂକ୍ରମକ ଭୂତାଣୁ ଚିନ୍ତା ବଢ଼ାଇଛି। ଆଜି ୧୪,୨୬୪ ଜଣ କରୋନା ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି। ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ ସୁରକ୍ଷା ନିୟମାବଳିକୁ ଆଦୌ ଗୁରୁତ୍ବ ଦିଆଯାଉଥିବାରୁ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଂଜାବ ଏବଂ ଛତିଶଗଡ଼ରେ ଯେଭଳି ଦ୍ରୁତ ସଂକ୍ରମଣ ଚାଲିଛି ସେଥିରୁ ଦେଶରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯିବା ଭୟ ଘାରିଛି। ଦେଶରେ ୨୯ ଜାନୁଆରିରେ ୧୮୮୫୫ ସଂକ୍ରମଣ ମାମଲା ଆସିଥିଲା ଏବଂ ଏହା ପରେ ନିୟମିତ ମାମଲା ହ୍ରାସ ପାଉଥିଲା। ଏଥିରୁ କରୋନା ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଚାଲି ଆସିଥିବା ଅନୁମାନ କରାଯାଉଥିଲା। କିନ୍ତୁ ସପ୍ତାହକ ମଧ୍ୟରେ ସ୍ଥିତି ବଦଳିଛି। ମହାରାଷ୍ଟ୍ରରେ ୬ ଫେବ୍ରୁଆରିରୁ ୧୨ ଫେବ୍ରୁଆରି ମଧ୍ୟରେ କରୋନା ଭାଇରସ୍ର ୨୦,୫୯୦ ମାମଲା ଆସିଛି ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯ ଜଣଙ୍କ ମୃତ୍ୟୁ ଘଟିଛି।
ଏବେ ଦେଶର ଦୈନିକ ସଂକ୍ରମଣ ମାମଲାରୁ ୭୪ ପ୍ରତିଶତ କେବଳ କେରଳ ଏବଂ ମହାରାଷ୍ଟ୍ରରୁ ଆସୁଥିବା ବେଳେ ଛତିଶତଗଡ଼, ମଧ୍ୟପ୍ରଦେଶ ଏବଂ ପଂଜାବରେ ସଂକ୍ରମଣ ବଢ଼ୁଥିବାରୁ ଏହି ଧାରା ବିପଜ୍ଜନକ ହୋଇପାରେ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଆର୍ଟିପିସିଆର ଟେଷ୍ଟ୍ ବଢ଼ାଇବାକୁ କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହା ସହିତ ନୂତନ ପ୍ରଜାତିର ଭୂତାଣୁ ମାମଲାଗୁଡ଼ିକ ଉପରେ ସ୍ବତନ୍ତ୍ର ନଜର ରଖିବାକୁ କୁହାଯାଇଛି। ଯେଉଁ ଜିଲ୍ଲାରେ ଅଧିକ କରୋନା ମୃତ୍ୟୁ ହେଉଛି ସେଠାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ତଦାରଖ କରାଯିବାକୁ କେନ୍ଦ୍ର ସରକାର କହିଛନ୍ତି। କେରଳରେ ନୂଆ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଉପରେ ଏକ ବିଶେଷଜ୍ଞ ଟିମ୍ ନଜର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/corona-1.jpg)