ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ନିକଟରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ତ୍ୱରିତ ସମାଧାନ ପାଇଁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସାରା ଦେଶରେ ୮.୮ ଲକ୍ଷରୁ ଅଧିକ ଏକ୍‌ଜିକ୍ୟୁସନ ପିଟିସନ (କାର୍ଯ୍ୟାନ୍ୱୟନ ଆବେଦନ) ପଡ଼ିରହିଛି। ଜଷ୍ଟିସ୍ ଜେବି ପାରଦିୱାଲା ଓ ଜଷ୍ଟିସ୍ ପଙ୍କଜ ମିତ୍ତଲଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଯଦିଓ ଚଳିତ ବର୍ଷ ମାର୍ଚ୍ଚରୁ ୩.୩୮ ଲକ୍ଷ ଆବେଦନର ଫଇସଲା ହୋଇଛି, ତଥାପି ବ୍ୟାକ୍‌ଲଗ୍ ଉଦ୍‌ବେଗଜନକ ଭାବେ ଅଧିକ ରହିଛି। 

Advertisment

ଅକ୍ଟୋବର ୧୬ରେ ଏକ ଆଦେଶରେ କୋର୍ଟ କହିଥିଲେ ଯେ, ଆଦେଶ ପାରିତ ହେବା ପରେ, ଯଦି ତାହା କାର୍ଯ୍ୟକାରୀ କରିବାକୁ ବର୍ଷ ବର୍ଷ ଲାଗିବ, ତେବେ ଏହାର କୌଣସି ଅର୍ଥ ନାହିଁ ଏବଂ ନ୍ୟାୟର ପରିହାସଠାରୁ ଏହା କମ୍ ହେବ ନାହିଁ। ଚଳିତ ବର୍ଷ ପ୍ରାରମ୍ଭରେ, ୪ ଦଶନ୍ଧି ପୁରୁଣା ସମ୍ପତ୍ତି ବିବାଦର ନିଷ୍ପତ୍ତି ନେବାବେଳେ ସୁପ୍ରିମ୍‌କୋର୍ଟ ସମସ୍ତ ହାଇକୋର୍ଟଙ୍କୁ ସେମାନଙ୍କ ଜିଲ୍ଲା ନ୍ୟାୟପାଳିକାରୁ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ବିଚାରାଧୀନ କାର୍ଯ୍ୟାନ୍ୱୟନ ଆବେଦନର ଛଅ ମାସ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମହାରାଷ୍ଟ୍ର ୩.୪ ଲକ୍ଷରୁ ଅଧିକ ବିଚାରାଧୀନ ମାମଲା ସହିତ ଶୀର୍ଷରେ ଥିବା ବେଳେ ତା’ପଛକୁ ତାମିଲନାଡୁ ୮୬,୦୦୦ରୁ ଅଧିକ ସହିତ ଦ୍ବିତୀୟ ଓ କେରଳ ପ୍ରାୟ ୮୩,୦୦୦ ମାମଲା ସହିତ ତୃତୀୟ ସ୍ଥାନରେ ଅଛନ୍ତି। ଉତ୍ତରପ୍ରଦେଶରେ ୨୭,୦୦୦ରୁ ଅଧିକ ବିଚାରାଧୀନ ମାମଲା ରିପୋର୍ଟ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୬୮,୦୦୦ରୁ ଅଧିକ ମାମଲା ରହିଛି। ଦେଶବ୍ୟାପୀ ଏହି ସଂଖ୍ୟା ୮,୮୨,୫୭୮ ବୋଲି ଜଣାପଡ଼ିଛି। କୋର୍ଟ କହିଛନ୍ତି, ଆମେ ପାଇଥିବା ପରିସଂଖ୍ୟାନ ଅତ୍ୟନ୍ତ ନିରାଶାଜନକ। ସାରା ଦେଶରେ ଏକ୍‌ଜିକ୍ୟୁସନ ପିଟିସନର ବିଚାରାଧୀନ ପରିସଂଖ୍ୟାନ ଉଦ୍‌ବେଗଜନକ।

ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ କର୍ଣ୍ଣାଟକ ହାଇକୋର୍ଟ କୌଣସି ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଖଣ୍ଡପୀଠ ଏହାର ରେଜିଷ୍ଟ୍ରାର ଜେନେରାଲଙ୍କୁ ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ଅନୁପାଳନ ପାଇଁ ସମୟକୁ ଆଉ ଛଅ ମାସ ବୃଦ୍ଧି କରିଛନ୍ତି ଏବଂ ସମସ୍ତ ହାଇକୋର୍ଟଙ୍କୁ କେବଳ ସେମାନଙ୍କ ଜିଲ୍ଲା ନ୍ୟାୟପାଳିକା ଉପରେ ନଜର ରଖିବା ପାଇଁ ନୁହେଁ ବରଂ ଡିକ୍ରିକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟା ପ୍ରସ୍ତୁତ କରିବାକୁ କହିଛନ୍ତି। ଯଦି ବର୍ଷ ବର୍ଷ ଧରି ଏକ ଆଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ, ତେବେ ଏହା ନ୍ୟାୟର ପରିହାସ ହେବ ବୋଲି କୋର୍ଟ ଦୋହରାଇଛନ୍ତି। ୧୦ ଏପ୍ରିଲ, ୨୦୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି, ଯେଉଁ ତାରିଖ ସୁଦ୍ଧା ସମସ୍ତ ହାଇକୋର୍ଟ ବିଚାରାଧୀନ ଓ ଫଇସଲା ହୋଇଥିବା କାର୍ଯ୍ୟାନ୍ୱୟନ ଆବେଦନ ଉପରେ ସର୍ବଶେଷ ତଥ୍ୟ ଦାଖଲ କରିବେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୃଣାଳ କନୱର, ଦିନେଶ କୁମାର ଚୌହାନ ଓ ବୈଭବ ରାଜସିଂହ ରାଠୋର ପ୍ରତିନିଧିତ୍ୱ କରିଥିଲେ।