୭ ରାଜ୍ୟରେ ୮୮% ମାମଲା: ତିନି ମାସରେ ସର୍ବାଧିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୬୧ ହଜାର ଛୁଇଁଲା

ପ୍ରାୟ ୩ କୋଟି ଲୋକ ଟିକା ନେଲେଣି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସକ୍ରମଣ ଭୟ ବଢ଼ାଉଥିବା ବେଳେ ବିଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ୨୫,୩୨୦ ନୂଆ ମାମଲାରୁ ୮୭.୭୩ ପ୍ରତିଶତ କେବଳ ୭ ରାଜ୍ୟର ବୋଲି ଜଣାପଡ଼ିଛି। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶ। ମହାରାଷ୍ଟ୍ରରେ ସର୍ବାଧିକ ୧୫ ହଜାର ୬୦୨ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ଏହା ପଛକୁ କେରଳରେ ୨୦୩୫ ମାମଲା ରିପୋର୍ଟ ହୋଇଛି। ପଂଜାବରେ ୧୫୧୦ଟି ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ଦେଶରେ ଆଜି ୧୪ଟି ରାଜ୍ୟରେ କୌଣସି କରୋନା ମୃତ୍ୟୁ ହୋଇନଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ରାଜ୍ୟଗଡ଼ିକ ହେଲା ରାଜସ୍ଥାନ, ଝାଡ଼ଖଣ୍ଡ, ପୁଡୁଚେରୀ, ଲକ୍ଷାଦ୍ବୀପ, ମେଘାଳୟ, ଡାମନ ଓ ଡିୟୁ, ଦାଦ୍ରା ଓ ନଗର ହାବେଳି, ନାଗାଲ୍ୟାଣ୍ଡ, ତ୍ରିପୁରା, ସିକ୍କିମ, ଲଦାଖ୍‌, ମଣିପୁର, ମିଜୋରାମ, ଆଣ୍ଡାମାନା ଓ ନିକୋବର ଆଇଲାଣ୍ଡ୍‌ ଏବଂ ଅରୁଣାଚଳ ପ୍ରଦେଶ। ଇତିମଧ୍ୟରେ ଦେଶରେ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ଏବଂ ପ୍ରାୟ ୩ କୋଟି ଲୋକ ଟିକା ନେଲେଣି। ଦେଶରେ ୭୩,୪୭, ୮୯୫ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ୧୧,୩୫,୫୭୩ ଜଣ ଆଗଧାଡ଼ିର କର୍ମୀ ଟିକା ନେଇଛନ୍ତି। ୪୫ ବର୍ଷରୁ ଅଧିକ ୧୪,୪୦,୦୯୨ ଜଣ ହିତାଧିକାରୀ ଟିକା ନେଇଥିବା ବେଳେ ୮୧,୮୭,୦୦୭ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି।


Mint

ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୧୫ ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ବିଶ୍ବରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ୧୨ କୋଟି ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ଏ ପର୍ଯ୍ୟନ୍ତ କରୋନାରେ ୨୭ ଲକ୍ଷ ୬୧ ହଜାର ଲୋକଙ୍କ ଜୀବନ ଯାଇଛି। ଚୀନ୍‌ର ଉହାନରେ ଡିସେମ୍ବର ୨୦୧୯ରୁ ପ୍ରଥମ କରୋନା ମାମଲା ଠାବ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏହି ଭୂତାଣୁ ୨୧୦ ରାଷ୍ଟ୍ରକୁ ଆକ୍ରାନ୍ତ କରିଛି। ଆମେରିକା କରୋନାରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଏବଂ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ଟପି ଗଲାଣି । ଆମେରିକାରେ ଆଜି ସୁଦ୍ଧା ୫ ଲକ୍ଷ ୪୬ ହଜାରରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଲେଣି। ବ୍ରାଜିଲ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି । ବ୍ରାଜିଲରେ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୫ ଲକ୍ଷ ଅତିକ୍ରମ କଲାଣି। ରୁଷ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷରୁ ଅଧିକ ଥିବା ବେଳେ ଇଟାଲିରେ ୩୨ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି।

ତିନି ମାସରେ ସର୍ବାଧିକ ସଂକ୍ରମଣ
ନୂଆଦିଲ୍ଲୀ: ରବିବାର ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ଭିତରେ ଦେଶରେ ରେକର୍ଡ ସଂଖ୍ୟକ ୨୫,୩୨୦ଟି ନୂତନ ସଂକ୍ରମଣ ମାମଲା ଦେଖାଯାଇଛି ଯାହା କି ବିଗତ ୩ ମାସ ଭିତରେ ସର୍ବାଧିକ ବୋଲି ଜଣାଯାଇଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୩,୫୯,୦୪୮ରେ ପହଞ୍ଚିଛି। ସେହିପରି ଏହି ଚବିଶ ଘଣ୍ଟାରେ ୧୬୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତାହା ବିଗତ ୪୪ ଦିନରେ ସର୍ବାଧିକ ବୋଲି ଜଣାଯାଇଛି। ଏଥି ସହିତ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୧,୫୮,୬୦୭ ହୋଇଛି। ଅପରପକ୍ଷେ, ଆରୋଗ୍ୟ ଲାଭ କରିଥିବା ପୀଡ଼ିତଙ୍କ ସଂଖ୍ୟା ୧,୦୯,୮୯,୮୯୭ ହୋଇଥିବା ବେଳେ ଅଦ୍ୟାବଧି ୨,୧୦,୫୪୪ ଜଣ ଚିକିତ୍ସିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ତେବେ ମୋଟ ସଂକ୍ରମିତଙ୍କର ମାତ୍ର ୧.୮୫ ପ୍ରତିଶତ ଚିକିତ୍ସାଧୀନ ରହିଥିବା ଏବଂ ମୃତ୍ୟୁହାର ୧.୪ ପ୍ରତିଶତ ରହିବା ଆଶ୍ବସ୍ତିର ବିଷୟ ହୋଇଛି।

 

ସମ୍ବନ୍ଧିତ ଖବର