୫ ରାଜ୍ୟରେ ନୂଆ ସଂକ୍ରମଣର ୮୮%: ୪୬ ହଜାର ନୂଆ ମାମଲା

ଦୁଇ ଦିନ ଧରି କେରଳ ସଂକ୍ରମଣ ୩୦ ହଜାର ଉପରେ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌ ସଂକ୍ରମଣ ଲଗାତାର ଭାବେ ବଢ଼ୁଛି। ଗତକାଲି ତୁଳନାରେ ଆଜି ସଂକ୍ରମଣ ମାମଲାରେ ୨୨ ପ୍ରତିଶତ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୪୬,୧୬୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୦୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩.୨୫ କୋଟିରେ ପହଞ୍ଚିଥିବା‌ବେଳେ ମୃତ୍ୟୁସଂଖ୍ୟା ୪.୩୬ ଲକ୍ଷରେ ପହଞ୍ଚିଛି। କେରଳ ସଂକ୍ରମଣ ମାମଲାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ୩୧,୪୪୫ ମାମଲା ଚିହ୍ନଟ ହୋଇଥିବାବେଳେ , ମହାରାଷ୍ଟ୍ରରେ ୫,୦୩୧, ଆନ୍ଧ୍ରପ୍ରଦେଶରେ ୧,୬୦୧, ତାମିଲନାଡ଼ୁରେ ୧୫୭୩ ଏବଂ କର୍ଣ୍ଣାଟକରେ ୧୨୨୪ ମାମଲା ଚିହ୍ନଟ ହୋଇଛି। ଉପରୋକ୍ତ ୫ ରାଜ୍ୟରୁ ୮୮.୫୫ ପ୍ରତିଶତ ମାମଲା ଚିହ୍ନଟ ହୋଇଛି।

ନୂଆ ମାମଲାର ୬୮.୧୨ ପ୍ରତିଶତ କେବଳ କେରଳରେ ରହିଛି। ତେବେ ମହାରାଷ୍ଟ୍ରରେ ସର୍ବାଧିକ ୨୧୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କେରଳରେ ୨୧୬ ଜଣଙ୍କ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଆରୋଗ୍ୟ ହାର ୯୭.୬୩ ପ୍ରତିଶତ। ଦେଶରେ ଟିକାକରଣ ଗତକାଲି ୬୦ କୋଟି ଟପିଯାଇଛି। ମୋଟ୍‌ ୬୦,୩୮,୪୬,୪୭୫ ଜଣ କରୋନା ଟିକା ନେଇଥିବାବେଳେ ଗତ ୨୪ ଘଣ୍ଟାରେ ୮୦,୪୦,୪୦୭ ଡୋଜ୍‌ ଦିଆଯାଇଛି। ଦେଶରେ ଟିକାକରଣ ତ୍ବରାନ୍ବିତ ହୋଇଥିବାବେଳେ ସରକାର କୋଭିସିଲ୍ଡର ୨ଟି ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନ କମାଇବାପାଇଁ ବିଚାରପିମର୍ଶ ଜାରି ରଖିଛନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ବର୍ତ୍ତମାନ କୋଭିସିଲ୍ଡର ୨ଟି ଡୋଜ୍‌ ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ରହିଛି। ତେବେ ପ୍ରଥ‌ମେ କୋଭିସିଲ୍ଡର ୨ଟି ଡୋଜ୍‌ ମଧ୍ୟରେ ବ୍ୟବଧାନ ୪ରୁ ୬ ସପ୍ତାହ ଥିଲା।

ଦୁଇ ଦିନ ଧରି କେରଳ ସଂକ୍ରମଣ ୩୦ ହଜାର ଉପରେ

ତିରୁଅନନ୍ତପୁରମ୍‌: ଲଗାତାର ଦ୍ବିତୀୟ ଦିନ ଧରି କେରଳରେ ସଂକ୍ରମଣ ମାମଲା ୩୦ ହଜାରରୁ ଅଧିକ ରହିଛି ଏବଂ ରାଜ୍ୟରେ ସକ୍ରିୟ ମାମଲା ୧ ଲକ୍ଷ ଟପିଯିବା ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଆଜି ପୁଣି ୩୦,୦୦୭ ମାମଲା ଚିହ୍ନଟ ହୋଇଛି। ଗତକାଲି ସଂକ୍ରମଣ ୩୧,୪୪୫ ଥିଲା। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ‌୍ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇଁ ହୋମ୍‌ କ୍ବାରାଣ୍ଟିନ୍‌ ନିୟମ ଉଲ୍ଲଂଘନକୁ ଦାୟୀ କରିଛନ୍ତି। ଘରେ ସଂକ୍ରମଣ ବଢ଼ୁଥିବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସତର୍କ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଅଜୟ ଭଲ୍ଲା ଆଜି କେରଳରେ କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। କେରଳରେ କରୋନା ମୁକାବିଲା ପାଇଁ ଭଲ୍ଲା କେତେକ ପରାମର୍ଶ ପ୍ରଦାନ କରିଥିବା ଜଣାପଡ଼ିଛି। ଭଲ୍ଲାଙ୍କ ସହ ହୋଇଥିବା ବୈଠକରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କେରଳର ଟେଷ୍ଟ ପଜିଟିଭ୍‌ ହାର ୧୯ ପ୍ରତିଶତରୁ ଅଧିକ ରହିଛି। କେରଳ ସଂକ୍ରମଣ ପାଇଁ ଦେଶରେ ଦ୍ବିତୀୟ ଲହର ଅବଧି ବଢ଼ିଛି। କେନ୍ଦ୍ରମନ୍ତ୍ରୀ ମୂରଲିଧରନ କହିଛନ୍ତି, ସଂକ୍ରମଣ ମାମଲା ଅଧିକ ରହିବା ଦ୍ବାରା ଟେଷ୍ଟ୍‌ ପଜିଟିଭ୍‌ ହାର ବଢ଼ୁଛି।

ସମ୍ବନ୍ଧିତ ଖବର