ହରିଦ୍ବାର: ଆଇଆଇଟି ରୁରକିରୁ ୮୮ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲାରେ ଥିବା ଆଇଆଇଟି ରୁରକିରୁ ୮୮ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସେମାନଙ୍କୁ ଗଙ୍ଗା ହଷ୍ଟେଲରେ ସଙ୍ଗରୋଧ କରାଯାଇଛି। ଏହା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଥିବା କହିଛନ୍ତି ଆଇଆଇଟି ରୁରକିର ମୁଖପାତ୍ର ସୋନିକା ଶ୍ରୀବାସ୍ତବ।
ତାଙ୍କ କହିବା ମୁତାବକ, କରୋନା ଆକ୍ରାନ୍ତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧ କରାଯାଇ ଚିକିତ୍ସା କରାଯାଉଛି। ଛାତ୍ରଛାତ୍ରୀ ରହୁଥିବା ୫ଟି ହଷ୍ଟେଲକୁ ସିଲ କରାଯାଇ ସାନିଟାଇଜ କରାଯାଉଛି। ତେବେ ୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ଅନଲାଇନ ପାଠପଢ଼ା ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାଯାଇଥିବା ସମସ୍ତ କଟକଣା ମାନି ପାଠପଢ଼ାଯାଉଥିବା କହିଛନ୍ତି ସୋନିକା ଶ୍ରୀବାସ୍ତବ। ତେବେ ଆଇଆଇଟି ରୁରକିରେ ଓଡ଼ିଶାରୁ ମଧ୍ୟ ଅନେକ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୮୮ଜଣଙ୍କ ମଧ୍ୟରେ କେହି ଓଡ଼ିଆ ଅଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ।

ତେବେ ୩ ଦିନ ମଧ୍ୟରେ ଆଜି ଦ୍ବିତୀୟ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୧ ଲକ୍ଷରୁ ଅଧିକ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧,୧୫,୭୩୬ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ଆଜି ପର୍ଯ୍ୟନ୍ତ ଦେଶର ସର୍ବାଧିକ ସଂକ୍ରମଣ। ଏହା ପୂର୍ବରୁ ଗତ ସୋମବାର ଦେଶରେ ସଂକ୍ରମଣ ମାମଲା ୧୦୩,୫୫୮ ଥିଲା। ବିଗତ ୨୪ ଘଣ୍ଟାରେ ଦେଶରେ ୬୩୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧, ୨୮, ୦୧,୭୮୫କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ୧୬୬,୧୭୭ ରହିଛି। ଲଗାତାର ୨୮ ଦିନ ଧରି ଦେଶରେ ସକ୍ରିୟ ମାମଲା ବଢ଼ି ଚାଲିଛି। ଦେଶରେ ସକ୍ରିୟ ମାମଲା ଏବେ ୮,୪୩,୪୭୩ରେ ପହଞ୍ଚିଛି। ଏହା ମୋଟ୍ ସଂକ୍ରମଣ ମାମଲାର ୬.୫୯ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୨.୧୧ ପ୍ରତିଶତକୁ ଖସି ଆସିଛି। ଦେଶରେ ସକ୍ରିୟ ମାମଲା ୭ ଲକ୍ଷ ଟପିବାର ମାତ୍ର ୨ ଦିନ ପରେ ୮ ଲକ୍ଷ ଟପିଛି। ଦ୍ବିତୀୟ ଲହରରେ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ୁଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ ହୋଇଛି।